ପୁରୀରେ ପ୍ରାକ୍ ନିର୍ବାଚନୀ ହିଂସା, ଫୁଟିଲା ବୋମା

ପୁରୀ: ପୁରୀ ସଦର ନିର୍ବାଚନ ମଣ୍ଡଳୀ କାଶୀହରିପୁର ପଞ୍ଚାୟତରେ ପ୍ରାକ୍ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ବୋମା ବିସ୍ଫୋରଣ । ଚଳିତ ନିର୍ବାଚନରେ କାଶୀହରିପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ଏହି ବୋମା ବିସ୍ଫୋରଣ ହୋଇଛି । କେହି ଆକ୍ରୋଶମୂଳକ ଭାବରେ ତାଙ୍କ ଘର ପଛରେ ବୋମାମାଡ କରିଥିବା କୁହାଯାଇଛି । ବୋମାମାଡ ପରେ ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା କହିଛନ୍ତି ଯେ ଆଜି ସକାଳ ପ୍ରାୟ ୯ ଟା ୩୦ ସମୟରେ ସେ ଠାକୁର ପୂଜା କରିବା ସମୟରେ ତାଙ୍କ ଘର ପଛପଟରେ ବୋମାମାଡ କରାଯାଇଥିଲା । ମୁଁ ସରପଞ୍ଚ ପ୍ରାର୍ଥୀ ହୋଇଥିବାରୁ କେହି ଆକ୍ରୋଶମୂଳକ ଭାବରେ ଏପରି କରିଥାଇପାରେ ବୋଲି କହିଛନ୍ତି ମୁକ୍ତିକାନ୍ତ ପଣ୍ଡା । ବୋମାମାଡ ପରେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିର୍ବାଚନକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରିଛି ପୋଲିସ । ବୋମାମାଡ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବେ ବୋଲି କହିଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ ।

Leave a Reply