ଆଜି ଅବପାତ, କାଲି ବାତ୍ୟା; ୪ ଜିଲ୍ଲାକୁ ରେଡ୍ ଆଲର୍ଟ  

1 min read
Pre-cyclone watch for north Andhra Pradesh – Odisha coasts

ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ । ଏହାପରେ ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ ।

ବାତ୍ୟା ‘ଜୱାଦ’ରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ମାଡ଼ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହେବ । ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୫ ତାରିଖରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ । ୩ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

୨ ତାରିଖ ସନ୍ଧ୍ୟାରୁ ଦକ୍ଷିଣପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବ । ୩ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ରହିପାରେ । ପରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

Leave a Reply