ରାଜ୍ୟରେ ୨୦୧୭ ପୂର୍ବର ଆପାର୍ଟମେଣ୍ଟ କିଣାବିକା ନେଇ ହଟୁନି ଦ୍ଵନ୍ଦ୍ଵ

1 min read

ଭୁବନେଶ୍ବର: ରାଜ୍ୟରେ ରେରା ଆଇନ ଆସିବା ପୂର୍ବରୁ ଅର୍ଥାତ ୨୦୧୭ ପୂର୍ବର ଆପାର୍ଟମେଣ୍ଟ କିଣାବିକା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ପ୍ରଥମେ ନଗର ଉନ୍ନୟନ ବିଭାଗ ଓ ପରେ ରାଜସ୍ବ ବିଭାଗ ୨୦୧୭ ପୂର୍ବର ଆପାର୍ଟମେଣ୍ଟ ବିକ୍ରୀ ପାଇଁ ବିଜ୍ଞପ୍ତି କଲେ । ହେଲେ ଏହା ଆଇନ ଅନୁସାରେ ହୋଇ ନଥିବାରୁ ହାଇକୋର୍ଟ ଏହା ଉପରେ ଷ୍ଟେ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି । ତେବେ କାହିଁକି ସରକାରଙ୍କ ବିଜ୍ଞପ୍ତି ଉପରେ ଲାଗିଲା ରୋକ୍ ? କେଉଁଠି ରହିଲା ଅସୁବିଧା ? ୨୦୧୭ ପୂର୍ବର ଅପାର୍ଟମେଣ୍ଟ କିଣାବିକା ପାଇଁ ଅକୁପାନ୍ସି ପ୍ରମାଣପତ୍ର ଜରୁରୀ ନା ନାହିଁ ? ବିଜ୍ଞପ୍ତିକୁ ନେଇ ଅନେକ ଦ୍ବନ୍ଦ୍ବ ରହିଥିବା ବେଳେ ସରକାରଙ୍କ ସ୍ପଷ୍ଟୀକରଣ ଜରୁରୀ ହୋଇପଡ଼ିଛି ।

ରିଏଲ ଇଷ୍ଟେଟ କାରବାରକୁ ବ୍ୟବସ୍ଥିତ କରିବାକୁ ୨୦୧୭ରେ କାର୍ଯ୍ୟକାରୀ ହେଲା ରେରା ଆଇନ । ହେଲେ ରେରା ଆଇନ କାର୍ଯ୍ୟକାରୀ ପୂର୍ବରୁ ଅର୍ଥାତ ୨୫ ଫେବୃଆରୀ ୨୦୧୭ ପୂର୍ବରୁ କାମ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର କିଣାବିକା ପାଇଁ ସରକାର ବିଜ୍ଞପ୍ତି କଲେ । ୧ ଫେବୃଆରୀ, ୨୦୨୫ରେ ନଗର ଉନ୍ନୟନ ବିଭାଗ ଏବଂ ୩ ଫେବୃଆରୀ ୨୦୨୫ରେ ରାଜସ୍ବ ବିଭାଗ ଏହି ବିଜ୍ଞପ୍ତି କଲେ ଯେ, ୨୦୧୭ ପୂର୍ବର ଆପାର୍ଟମେଣ୍ଟ କିଣାବିକାରେ କିଛି ସମସ୍ୟା ନାହିଁ । ସବ ରେଜିଷ୍ଟ୍ରାରମାନେ ଏହି ଦଳିଲ ପଞ୍ଜୀକରଣ ପାଇଁ ମନା କରିପାରିବେ ନାହିଁ । ହେଲେ ମାମଲା ହାଇକୋର୍ଟକୁ ଗଲା ଓ ହାଇକୋର୍ଟ ଏହା ଉପରେ ରହିତାଦେଶ ଲାଗୁ କଲେ । ଏହି ସବୁ ପ୍ରପର୍ଟି ପାଇଁ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆଇନ- ୨୦୨୩ ଲାଗୁ ହେବ ନାହିଁ ବୋଲି ସରକାର କହିଲେ । ହେଲେ ୧୯୮୨ ଓ ୨୦୧୫ର ଆଇନ ଅନୁସାରେ ଆପାର୍ଟମେଣ୍ଟ କିଣାବିକା ପାଇଁ ଅକୁପାନ୍ସି ସାର୍ଟିଫିକେଟ ଏବଂ କମ୍ପ୍ଲିସନ ସାର୍ଟିଫିକେଟ ଜରୁରୀ । ନୂଆ ବିଜ୍ଞପ୍ତିରେ ଥିବା ଦ୍ବନ୍ଦ୍ବ ଯୋଗୁଁ ହାଇକୋର୍ଟ ସ୍ଥଗିତାଦେଶ କରିଛନ୍ତି । ଏହା ଉପରେ ସରକାର ସ୍ପଷ୍ଟୀକରଣ ରଖିବା ଦରକାର ।

ରେରା ଆଇନ ୨୦୧୭ ଆସିବା ବେଳେ ରାଜ୍ୟର ବିଭିନ୍ନ ସହରରେ ଚାଲିଥିବା ଆପାର୍ଟମେଣ୍ଟକୁ ରନିଂ ପ୍ରକଳ୍ପ ହିସାବରେ ଗଣତି କରି ରେରା ଅଧୀନରେ ଆସିବ ସ୍ପଷ୍ଟ କଲେ । ହେଲେ ୨୫ ଫେବୃଆରୀ ୨୦୧୭ ସୁଦ୍ଧା ଯେଉଁ ସବୁ ପ୍ରକଳ୍ପ ସରିଥିଲା, ତାହା କିଣାବିକା ପାଇଁ ଆପାର୍ଟମେଣ୍ଟ ମାଲିକାନା ଆଇନ ୧୯୮୨ ଏବଂ ୨୦୧୫ ଅନୁସାରେ ଅକ୍ୟୁପାନ୍ସି ଓ କମ୍ପ୍ଲିସନ ସାର୍ଟିଫିକେଟ ଜରୁରୀ । ହେଲେ ସରକାରଙ୍କ ବିଜ୍ଞପ୍ତିରେ ତାହା ଉଲ୍ଲେଖ ନାହିଁ । ଯଦି ୨୦୧୭ ପୂର୍ବର ଆପାର୍ଟମେଣ୍ଟ କିଣାବିକାରେ ଅକୁପାନ୍ସି ସାର୍ଟିଫିକେଟ ଦରକାର ନାହିଁ, ତା’ହେଲେ ସରକାର ଏହା ସ୍ପଷ୍ଟ କରିବା ଦରକାର । ନହେଲେ ଏହି ସବୁ ପ୍ରକଳ୍ପର କେବଳ ମାଲିକାନା ବଦଳିପାରେ ହେଲେ ଏହା ଆଇନ ଦୃଷ୍ଟିକୋଣରୁ ବୈଧ ହେବ ନାହିଁ । ଏପରିକି ୨୦୧୭ ପୂର୍ବର ଆପାର୍ଟମେଣ୍ଟରେ ରେରା ଆଇନର କିଛି ଭୂମିକା ନାହିଁ ବୋଲି ଯେଉଁ ଧାରଣା ରହିଛି ତାହାକୁ ଦୂର କରିଛନ୍ତି ରେରାର ପ୍ରଶାସନିକ ସଦସ୍ୟ । ୨୦୧୭ ପୂର୍ବର ହେଲେ ବି ଯଦି କୌଣସି ଆଇନଗତ ସମସ୍ୟା ଥାଏ, ସେଥିରେ ବି ରେରା କୋର୍ଟ ହସ୍ତକ୍ଷେପ କରିପାରିବ ।

ଏଠାରେ ପ୍ରଶ୍ନ, ଯଦି ସରକାର ସବୁ ଜାଣିଛନ୍ତି, ତା’ହେଲେ କାହିଁକି ତରବରିଆ ଭାବେ ଏପରି ବିଜ୍ଞପ୍ତି କଲେ ? କାହିଁକି ଅକୁପାନ୍ସି ସାର୍ଟିଫିକେଟ ବାବଦରେ ସ୍ପଷ୍ଟୀକରଣ ରଖିଲେ ନାହିଁ ? ୨୦୧୭ ପୂର୍ବର ଆପାର୍ଟମେଣ୍ଟ ପାଇଁ ଅକୁପାନ୍ସି ଓ କମ୍ପ୍ଲିସନ ସାର୍ଟିଫିକେଟ ଜରୁରୀ ନା ନାହିଁ ? କ୍ରେତାଙ୍କ ସ୍ବାର୍ଥ ଦୃଷ୍ଟିକୋଣରୁ ସରକାର ଏ ବାବଦରେ ସ୍ପଷ୍ଟ ଚିତ୍ର ରଖିବା ଦରକାର ।