ଟେଲିଗ୍ରାମ, ଇଷ୍ଟାଗ୍ରାମ ଓ ଫେସବୁକରେ ବିକ୍ରି ହେଉଛି ମହାକୁମ୍ଭରେ ମହିଳାଙ୍କ ଗାଧୋଉଥିବା ଭିଡିଓ

1 min read

ଲକ୍ଷ୍ନୌ : ମହାକୁମ୍ଭ ପାଇଁ ଲୋକ ପ୍ରୟାଗରାଜ ଅଭିମୁଖେ ଯାତ୍ରା କରୁଛନ୍ତି । ଏ ଯାଏଁ ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଛବିକୁ ଖରାପ କରିବାରେ ଲାଗିଛନ୍ତି । କିଛି ଲୋକ ମହିଳାମାନଙ୍କ ସଙ୍ଗମ ସ୍ଥାନରେ ସ୍ନାନ କରୁଥିବାର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଆଉ କିଛି ଲୋକ ଏହାକୁ ବିକ୍ରି କରିବାରେ ଲାଗିଛନ୍ତି । ୟୁପି ପୋଲିସ ଏଭଳି ଲୋକଙ୍କ ଉପରେ ଆକ୍ସନ ନେବା ଆରମ୍ଭ କରିସାରିଲାଣି ।

ପ୍ରୟାଗରାଜ ପୋଲିସ ମହିଳାମାନଙ୍କ ସ୍ନାନ କରୁଥିବା କି ପୋଷାକ ବଦଳାଉଥିବା ଭିଡିଓ ଭାଇରାଲ କରାଯାଉଥିବା ଆକାଉଣ୍ଟ ଉପରେ ମାମଲା ରୁଜୁ କରିବା ଆରମ୍ଭ କରିଛି । ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି, ମହିଳାଙ୍କ ଅଶ୍ଲୀଳ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥିବା ଓ ଟେଲିଗ୍ରାମରେ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଉଛି । ଏବେ ସେମାନଙ୍କ ଚିହ୍ନଟ କରାଯିବା ପରେ ଗିରଫ କରାଯିବ । ପୋଲିସର ସାଇବର ଟିମ୍ ଇଣ୍ଟରନେଟର ବିଭିନ୍ନ ପ୍ଲଟଫର୍ମ ଉପରେ ଯାଞ୍ଚ ଚାରି ରଖିଛି । ଆପତ୍ତିଜନକ ପୋଷ୍ଟ ଓ ଗୁଜବ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ସାଇବର ତଦନ୍ତରୁ ଜଣାପଡିଛି କି, ମହାକୁମ୍ଭକୁ ଆସୁଥିବା ମହିଳାଙ୍କ ସ୍ନାନ କରୁଥିବା ଓ ପୋଷାକ ବଦଳାଉଥିବର ଭିଡିଓ ସୋସିଆଲ ମଡିଆରେ ଅପଲୋଡ କରାଯାଉଛି ।

ପୋଲିସ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ @neha1224872024 ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି। ଏହି ଆକାଉଣ୍ଟ ମାଧ୍ୟମରେ ମହିଳା ସ୍ନାନକାରୀଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ କରାଯାଇଥିଲା। ଆକାଉଣ୍ଟ ସମ୍ପର୍କରେ ମେଟା କମ୍ପାନୀଠାରୁ ସୂଚନା ମଗାଯାଇଛି ଏବଂ ଅଭିଯୁକ୍ତଙ୍କ ଗିରଫଦାରୀ ଖୁବ୍ ଶୀଘ୍ର ସୁନିଶ୍ଚିତ କରାଯିବ।