୪ଟି ବିଶ୍ୱ ରେକର୍ଡ କରିବାକୁ ଯାଉଛି ମହାକୁମ୍ଭ ମେଳା
1 min read
ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ ମେଳା । ଫେବୃଆରୀ ୧୭ ରେ ସରିବ ମହାକୁମ୍ଭ ମେଳା। ଏହି ମହାଆୟୋଜନ ୪ଟି ବିଶ୍ୱ ରେକର୍ଡ କରିବାକୁ ଯାଉଛି । ଯାହା ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ସମାଜ ସେବାର ବାର୍ତ୍ତା ପ୍ରସାର କରିବ। ମହାକୁମ୍ଭରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଉପସ୍ଥିତ ରହି ମାନ୍ୟତା ପ୍ରଦାନ କରିବେ । ମେଳା ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ମହାକୁମ୍ଭର ପ୍ରଥମ ରେକର୍ଡ ଫେବୃଆରୀ ୧୪ ରୁ ଆରମ୍ଭ ହେବ । ଏହି ଦିନ, ସଙ୍ଗମ ଅଞ୍ଚଳରେ ୧୫ ହଜାର ସଫେଇ କର୍ମଚାରୀ ୧୦ କିଲୋମିଟର ଲମ୍ବା ଗଙ୍ଗା କୂଳକୁ ସଫା କରିବେ । ମହାକୁମ୍ଭ ୨୦୧୯ରେ ୧୦ ହଜାର ସଫେଇ କର୍ମଚାରୀ ଏକାଠି ସଫେଇ କରି ଏକ ରେକର୍ଡ ସ୍ଥାପନ କରିଥିଲେ, ଯାହାକୁ ଏବେ ୧୫ ହଜାର ସଫେଇ କର୍ମଚାରୀ ଏକାଠି ଭାଙ୍ଗିବେ ।
ଦ୍ୱିତୀୟ ରେକର୍ଡ ହେଇଛି ଫେବୃଆରୀ ୧୫ ତାରିଖରେ, ୩୦୦ ଜଣ ସଫେଇ କର୍ମଚାରୀ ଗଙ୍ଗା ଏବଂ ଯମୁନା ନଦୀ କୂଳରେ ସଫେଇ ଅଭିଯାନ କରିବେ । ଏଥିରେ ନଦୀ କୂଳ ଏବଂ ଜଳ ସ୍ରୋତ ସମ୍ପୂର୍ଣ୍ଣ ସଫା ରହିବ। ଏହି ଅଭିଯାନ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱକୁ ଦର୍ଶାଇବା ସହ ପରିବେଶ ବିଷୟରେ ସମସ୍ତଙ୍କୁ ସଚେତନ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବ
ତୃତୀୟ ରେକର୍ଡ ହେଉଛି ଫେବୃଆରୀ ୧୬ ତାରିଖରେ ତ୍ରିବେଣୀ ମାର୍ଗରେ ୧୦୦୦ ଇ-ରିକ୍ସାର ସବୁଠାରୁ ଲମ୍ବା ପରେଡ୍ ଆୟୋଜନ କରାଯିବ। ଏହି ରେକର୍ଡ ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପ୍ରୟାସ ଦ୍ୱାରା ମହାକୁମ୍ଭକୁ ପ୍ରଦୂଷଣ ମୁକ୍ତ କରିବାର ଉଦ୍ଦେଶ୍ୟ ମଧ୍ୟ ହାସଲ ହେବ ।
ଚତୁର୍ଥ ରେକର୍ଡ ହେଉଛି ଫେବୃଆରୀ ୧୭ ତାରିଖରେ ମହାକୁମ୍ଭରେ ୧୦ ହଜାର ଲୋକଙ୍କ ହାତ ଛାପ ନିଆଯିବ। ଏହି ରେକର୍ଡ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିବେଶ ସମ୍ପର୍କରେ ସଚେତନତା ପ୍ରସାର କରିବାର ଏକ ଅନନ୍ୟ ଉପାୟ ହେବ। ଏହି ରେକର୍ଡ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି।
ଏହି ଚାରୋଟି ରେକର୍ଡ ତିଆରି ସମୟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଉପସ୍ଥିତ ରହିବେ। ସେମାନେ ଏହି ପ୍ରକ୍ରିୟାଗୁଡ଼ିକୁ ତଦାରଖ କରିବା ସହ ସଠିକ୍ ଭାବରେ ସମାପ୍ତ ହେବା ପରେ ରେକର୍ଡଗୁଡ଼ିକୁ ଚିହ୍ନଟ କରିବେ।