କାଲିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ, କାର୍ଯ୍ୟକ୍ରମ ତଦାରଖ କଲେ ଜୟଶଙ୍କର

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ରାଜଧାନୀ ଭୁବନେଶ୍ବର । ଆସନ୍ତାକାଲିଠାରୁ ୧୦ ତିରିଖ ଯାଏଁ ୩ ଦିନି ଧରି ସମ୍ମିଳନୀ ପାଇଁ ଜନତା ମଇଦାନରେ ସମସ୍ତ ପ୍ରସ୍ତୁତି ସରିଛି । ଜନତା ମଇଦାନ ବ୍ୟତୀତ ପ୍ରବାସୀ ଭାରତୀୟଙ୍କୁ ଆକୃଷ୍ଟ କରିବାକୁ ଭୁବନେଶ୍ୱରରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଓ ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ । ୫ ଦିନିଆ ଗସ୍ତରେ ଓଡ଼ିଶା ଆସି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ପୁରୀ, କୋଣାର୍କ, ଚିଲିକା ସମେତ ୩୧ଟି ପର୍ଯ୍ୟଟନ ସ୍ଥଳରେ ଅତିଥିମାନଙ୍କୁ ସ୍ୱାଗତ ପାଇଁ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

କାଲିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ । ଓଡ଼ିଶାରେ ପହଞ୍ଚୁଥିବା ଅତିଥିଙ୍କୁ ଦିଆଯାଉଛି ସମ୍ବର୍ଦ୍ଧନା । ବିମାନବନ୍ଦରରେ ପାରମ୍ପରିକ ବାଦ୍ୟ ନୃତ୍ୟରେ କରାଯାଉଛି ସ୍ଵାଗତ । ଓଡ଼ିଶାରେ ପ୍ରଥମ ଥର ପାଇଁ ଆଯୋଜନ କରାଯାଉଛି ଏଭଳି ସମ୍ମିଳନୀ । ଇଭେଣ୍ଟ ପାଇଁ ଜନତା ମଇଦାନରେ ସରିଛି ସମସ୍ତ ପ୍ରସ୍ତୁତି । ରେଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି ସହରର ରାସ୍ତାଘାଟ । ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ଅନେକ ଭିଆଇପି । ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଉଦଯାପନୀ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି । ସମ୍ମିଳନୀରେ ଯୋଗଦେବାକୁ ସୋମବାରଠୁ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କୋଣାର୍କ ରାମଚଣ୍ଡୀ ନିକଟସ୍ଥ ଇକୋ ରିଟ୍ରିଟରେ ରାତ୍ରିଯାପନ କରି ମଙ୍ଗଳବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଜନତା ମଇଦାନରେ ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଭୁବନେଶ୍ୱର ସହରର ପରିଷ୍କାର ପରିଚ୍ଛନ୍ନତା ସହ ଅତିଥି ସତ୍କାର ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏକାମ୍ର କ୍ଷେତ୍ରରେ ସ୍ଵତନ୍ତ୍ର ଅତିଥିଙ୍କୁ ଭାବପୂର୍ଣ୍ଣ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । ଆମେରିକା, ସିଙ୍ଗାପୁର, ଦୁବାଇ, ଅଷ୍ଟ୍ରେଲିଆ, ଜର୍ମାନୀ, ଇଂଲଣ୍ଡ, ୟୁରୋପ ଭଳି ପ୍ରାୟ ୭୦ଟି ଦେଶରୁ ୬ ହଜାର ପ୍ରବାସୀ ଭାରତୀୟ ଏକାଠି ହେବେ । ସମସ୍ତଙ୍କୁ ଓଡ଼ିଶାର ଆତିଥେୟତା ଓ ସୁଖଦ ଅନୁଭୂତି ଦେବାକୁ ବିଭିନ୍ନ ବିଭାଗର ଅଧିକାରୀ ଦାୟିତ୍ବରେ ଅଛନ୍ତି । ଭୁବନେଶ୍ବରରେ ଏହି ସମୟରେ ଆୟୋଜନ ହେଉଛି ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ବର ନୃତ୍ୟ ଉତ୍ସବ, ଫୁଲ ପ୍ରଦର୍ଶନୀ, ଚିଲିକା ବିହଙ୍ଗ ଉତ୍ସବ ସହ ଅନେକ କାର୍ଯ୍ୟକ୍ରମ । ଓଡ଼ିଶା ସଂସ୍କୃତିର ଗାଥା ପାଇଁ ନୂଆ ରୂପରେ ସଜେଇ ହୋଇଛି ରାଜ୍ୟ ମ୍ୟୁଜିୟମ । ଲିଙ୍ଗରାଜ ମନ୍ଦିର ସହିତ ଅନ୍ୟ ମନ୍ଦିରରେ ଭିଆଇପିଙ୍କ ଦର୍ଶନ ପାଇଁ ସୁବନ୍ଦୋବସ୍ତ କରାଯାଇଛି ।

କାର୍ଯ୍ୟକ୍ରମ ବାବଦରେ ସବିଶେଷ ତଥ୍ୟ ଓ ସହଯୋଗ ପାଇଁ ୧୯୨୯ କେନ୍ଦ୍ରୀୟ କମାଣ୍ତ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଓଡ଼ିଶାରେ ପୁଞ୍ଜି ବିନିଯୋଗର ସମ୍ଭାବନା, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ବିକଶିତ ଓଡ଼ିଶା ୨୦୩୬ ଭଳି ତିନୋଟି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।