ପ୍ରବାସୀ ଆସିଲେ ଆସିବ କି ପୁଞ୍ଜି; ଭବ୍ୟ ଆୟୋଜନ ନେଇ ବୟାନବାଜି ଆରମ୍ଭ
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶ ବଢିବ କି ? ତାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ବିଜେଡି କହିଛି, ନବୀନଙ୍କ ଅମଳରେ ଓଡ଼ିଶା ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଥିଲା। ବିଦେଶରୁ ପୁଞ୍ଜି ଆସିବା ସହ ଅନେକ କ୍ଷେତ୍ରରେ କାମ ବି ଆରମ୍ଭ ହୋଇଥିଲା । ଓଡ଼ିଶାର କେନ୍ଦ୍ରପଡ଼ାରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ବିଶ୍ବର ସବୁଠାରୁ ବଡ଼ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ କାମ ଆରମ୍ଭ କରିଦେଇଥିଲା। ଜେଏସଡବ୍ଲ୍ଯୁ ଓଡ଼ିଶାରେ ଇଭି କାରଖାନା କରିବାକୁ ନିଷ୍ପତ୍ତି ନେଇଥିଲା। କହିବାକୁ ଗଲେ ନବୀନଙ୍କ ନେତୃତ୍ବରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଥିଲା । ପ୍ରବାସୀ ଭାରତୀୟ ସମ୍ମିଳନୀ ପରେ ଓଡ଼ିଶାକୁ ଅଧିକ ବିଦେଶରୁ ପୁଞ୍ଜି ଆସିବା ନେଇ ସଭିଏଁ ଆଶା ବାନ୍ଧିଛନ୍ତି । କେତେ ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆସୁଛି ତାକୁ ସଭିଁଏ ଚାହିଁ ବସିଛନ୍ତି ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଓଡ଼ିଶାକୁ କେତେ ପୁଞ୍ଜି ଆସିବ ତାହାକୁ ନେଇ ସନ୍ଦେହ ଦେଖାଦେଇଛି ।
ସେପଟେ ପ୍ରବାସୀ ଭାରତୀୟ ସମ୍ମିଳନୀ ପୁଞ୍ଜି ପାଇଁ କରାଯାଇ ନାହିଁ ବୋଲି ବିଜେପି ସଫେଇ ଦେଇଛି। ସମ୍ମିଳନୀ ଓଡ଼ିଶାରେ ହେବା ଓଡ଼ିଶାକୁ ବିଶ୍ବରେ ପରିଚିତ କରିଛି ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ଆଗକୁ କଣ ହେବ ଏବେଠୁ କାହିଁକି ଚିନ୍ତା ବୋଲି ସେ ପ୍ରଶ୍ନ କରିବା ସହିତ ବିକଶିତ ଓଡ଼ିଶା ପାଇଁ ଏହା ବେଶ ସହାୟକ ହେବ ବୋଲି ଯୁକ୍ତି ବାଢିଛନ୍ତି ।
ଓଡ଼ିଶାର ବିକାଶ ପାଇଁ ନିହାତି ଭାବେ ବିଦେଶୀ ପୁଞ୍ଜି ଆବଶ୍ୟକ । ହେଲେ ବିଜେପି ସରକାର ନବୀନଙ୍କ ଯାଦୁ କାଏମ ରଖିପାରିବେ ତ ? ଏହାର ଉତ୍ତର ଆଗାମୀ ଦିନରେ ହିଁ ଜଣାପଡିବ।