୧୮ତମ ପ୍ରବାସୀ ଭାରତୀୟ ଦିବସର ଯୁବ ସମାବେଶ ଆରମ୍ଭ

ଭୁବନେଶ୍ବର : ୧୮ତମ ପ୍ରବାସୀ ଭାରତୀୟ ଦିବସର ଯୁବ ସମାବେଶ ଆରମ୍ଭ । ସମାବେଶର ଶୁଭାରମ୍ଭ ହୋଇଛି। ଉତ୍ସବରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ, କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଉପସ୍ଥିତ ଅଛନ୍ତି। ଉତ୍ସବରେ ଅନ୍ୟ ପ୍ରମୁଖ ଅଧିକାରୀ ମଧ୍ୟ ଯୋଗ ଦେଇଛନ୍ତି। ପ୍ରବାସୀ ଭାରତୀୟ ଦିବସ ଲାଗି ଚାରିଆଡେ ପ୍ରବଳ ଉତ୍ସାହ ଲାଗି ରହିଛି। ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାସ୍ତା ଓ ଗଳି ।  ଏଥର ଓଡ଼ିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀର ୧୮ ତମ ସଂସ୍କରଣ ଆୟୋଜନ ହୋଇଛି । ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହୋଇଛି । ଯୁବ ସମାବେଶରୁ ଆରମ୍ଭ ହୋଇଛି ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମଳନୀ। ଯୁବ ଦିବସ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବସୀ ମାନଙ୍କ ସହିତ ଆଲୋଚନା ହେବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ୧୦ ତାରିଖରେ ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତିନି ଦିନିଆ ସମ୍ମିଳନୀରେ ଓଡ଼ିଶା ଏବଂ ଦେଶ ବିକାଶରେ ଥିବା ବିଭିନ୍ନ ସମ୍ଭାବନା ବିଷୟରେ ପ୍ରବାସୀଙ୍କ ସହ ଆଲୋଚନା ଚାଲିବ। ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରବାସୀ ଦିବସର ବ୍ୟବସ୍ଥା ହୋଇଛି । ଏହା ସହ ବିଭିନ୍ନ ପ୍ଲେନାରି ସେସନରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ପ୍ରବାସୀ ମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ ହେବ। ପୁରୀ, କଟକ, ଭୁବନେଶ୍ୱର ଯାଜପୁରର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀ ମାନଙ୍କୁ ବୁଲାଇ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ନୂଆ ଭାଇରସ୍ ପାଇଁ କେନ୍ଦ୍ର ସରକାରଙ୍କ ଯାହା ସତର୍କତା ମୂଳକ ନିର୍ଦ୍ଦେଶ ରହିଛି ତାକୁ ଅନୁପାଳନ କରିବା ସହ ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ।