ତ୍ରିପୁରାର ‘ଦିଦି’ ହୋଇପାରନ୍ତି ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ ସବୁକିଛି
ଅଗରତାଲା: ଉତ୍ତର ପୂର୍ବ ରାଜ୍ୟ ତ୍ରିପୁରାରେ ନିର୍ବାଚନ ସମାପ୍ତ ହୋଇଛି । ୩୩ ଆସନରେ ବିଜୟ ସହ ପୁଣି ଗୋଟେଥର ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି । ନୂଆ ସରକାର ଗଠନ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମାଣିକ ଶାହା ଶୁକ୍ରବାର ରାଜ୍ୟପାଳ ସତ୍ୟଦେବ ନାରାୟଣଙ୍କୁ ଭେଟି ନିଜର ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି । ଇସ୍ତଫା ଦେବା ପରେ ସେ ନୂଆ ସରକାର ଗଠନ ନେଇ କିଛି ମନ୍ତବ୍ୟ ଦେଇନଥିଲେ । ଏହାକୁ ନେଇ ଏବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ବିଜେପି ନେତୃତ୍ୱ ମହିଳା ଦିବସ (୮ ମାର୍ଚ୍ଚ)ରେ କେନ୍ଦ୍ର ମନ୍ତ୍ରୀ ପ୍ରତିମା ଭୌମିକଙ୍କୁ ତ୍ରିପୁରାର ମୁଖ୍ୟମନ୍ତ୍ରୀ କରିପାରନ୍ତି ।
ଯଦି ଏପରି ହୁଏ ତେବେ ଭୌମିକ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ । କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ଅଧିକାରିତା ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ ୯୦ ଦଶକରୁ ତ୍ରିପୁରାରେ ବିଜେପିର ଚେହେରା ଭାବେ ଉଭା ହୋଇଛନ୍ତି । ସେ ନିଜର ସାଧାରଣ ଜୀବନ ଶୈଳୀ ଏବଂ ତୃଣମୂଳ ରାଜନୀତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ପ୍ରାରମ୍ଭିକ ଦିନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତି ଆକର୍ଷିତ ଥିଲେ ଭୌମିକ । ୧୯୯୧ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ମିଶିବାର ଏକ ବର୍ଷ ଭିତରେ ଭୌମିକଙ୍କୁ ତ୍ରିପୁରା ରାଜ୍ୟ ସମିତିର ସଦସ୍ୟ କରାଯାଇଥିଲା । ୧୯୯୨ରେ ତାଙ୍କୁ ଧନପୁର ମଣ୍ଡଳର ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା ।
ଦଳରେ ସକ୍ରିୟତା କାରଣରୁ ଭୌମିକଙ୍କ ସ୍ଥିତି ବଢିବାରେ ଲାଗିଥିଲା । ଏହାପରେ ତାଙ୍କୁ ତ୍ରିପୁରା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଦିଆଯାଇଥିଲା । ସେ ଦୁଇଥର ବିଜେପି ପ୍ରଦେଶ ଉପାଧ୍ୟକ୍ଷ ରହିଥିଲେ । ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିମା ଭୌମିକଙ୍କୁ ବିଜେପି ତ୍ରିପୁରା ମହାସଚିବ ରୂପରେ ବଡ଼ ଦାୟିତ୍ୱ ମିଳିଥିଲା । ଏହାର ଗୋଟେ ବର୍ଷ ପରେ ୨୦୧୯ରେ ଦଳ ତାଙ୍କୁ ଲୋକସଭା ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଥିଲା । ସେ ପଶ୍ଚିମ ତ୍ରିପୁରା ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ଏବଂ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।
ଏହି ବିଜୟ ସହ ଭୌମିକ ତ୍ରିପୁରାର ପ୍ରଥମ ମହିଳା ବିଜେପି ସାଂସଦ ହୋଇଥିଲେ । ଜୁଲାଇ ୨୦୨୧ରେ ତାଙ୍କୁ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଥିଲା । ଭୌମିକ କେନ୍ଦ୍ର ମନ୍ତ୍ରୀ ହୋଇଥିବା ତ୍ରିପୁରାର ପ୍ରଥମ ମହିଳା ହୋଇଥିଲେ । ଏହା ବ୍ୟତୀତ ଭୌମିକ ତ୍ରିପୁରାରେ ବିଜେପିର ପ୍ରଥମ ସାଂସଦ ହୋଇଥିଲେ ଯାହାଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା । ଚଳିତ ବର୍ଷ ଜାନୁଆରୀରେ ଯେବେ ତ୍ରିପୁରା ବିଧାନସଭା ନିର୍ବାଚନର ଆରମ୍ଭ ହୋଇଥିଲା ତେବେ ବିଜେପି କେନ୍ଦ୍ରମନ୍ତ୍ରୀ ଭୌମିକଙ୍କୁ ଧନପୁର ସିଟରୁ ଛିଡ଼ା କରି ସମସ୍ତଙ୍କ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ଧନପୁର, ସିପିଏମର ଗଡ଼ ଭାବେ ଜଣାଯାଉଥିଲା ।
ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ଗତ ୫୦ ବର୍ଷ ହେବ ଏହି ଆସନର ପ୍ରତିନିଧିତ୍ୱ କରିଆସୁଥିଲେ । ଚଳିତ ନିର୍ବାଚନରେ ଭୌମିକ ମୋଟ ୪୨.୨୫ ପ୍ରତିଶତ ଭୋଟ ସେୟାର ସହ ମୋଟ ୧୯,୧୪୮ ଭୋଟ ହାସଲ କରିଛନ୍ତି । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ କୌଶିକ ଚନ୍ଦାଙ୍କୁ ୩,୫୦୦ ଭୋଟରେ ପରାଜିତ କରିଛନ୍ତି । ଭୌମିକଙ୍କୁ ରାଜ୍ୟରେ ମହିଳାମାନେ ଦିଦି ବୋଲି ସମ୍ବୋଧିତ କରିଥାନ୍ତି । ଭୌମିକ ରାଜ୍ୟର ପାରମ୍ପରିକ କଳା ଏବଂ ସଂସ୍କୃତିକୁ ପ୍ରାଧାନ୍ୟ ଦେବାରେ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ରହିଥାନ୍ତି । ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ରୂପରେ ସେ ରାଜ୍ୟରେ ମହିଳା ଏବଂ ଅଳ୍ପସଂଖ୍ୟକଙ୍କ ଅଧିକାର ସମର୍ଥନରେ ମଧ୍ୟ ସ୍ୱର ଉଠାଇଛନ୍ତି । ଏବେ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବ ବୋଲି ଚର୍ଚ୍ଚା ହେଉଛି ।