ପୋଢୁଆଁ ହେବେ ବଡ଼ଭାଇ ବଳଭଦ୍ର, ମାଧବରୁ ଆସିଲା ଭାର

1 min read

ନିଆଳି: ମାର୍ଗଶିର ମାସ ଅଷ୍ଟମୀ, ପୋଢୁଆଁଷ୍ଟମୀ । ପୋଢୁଆଁ ହେବେ ଜଗତନାଥ ଶ୍ରୀଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ର । ଏଥିପାଇଁ ମାମୁ ଘର ନିଆଳିର ମାଧବରୁ ଶ୍ରୀମନ୍ଦିର ଯାଇଛି ପୋଢୁଆଁ ଭାର । ସକାଳୁ ଶ୍ରୀ ମାଧବାଙ୍କ ପୀଠରୁ ଘଣ୍ଟଘଣ୍ଟା ଓ ବିରାଟ ପଟୁଆରରେ ବାହିରଥିଲା ପୋଢୁଆଁ ଯାତ୍ରା । ୨୦ ଜଣ ବେହେରା ସେବକ ନିଷ୍ଠାର ସହ ବ୍ରତ ପାଳି କାନ୍ଧରେ ନେଇଛନ୍ତି ଏହି ଦିବ୍ୟଭାର । ପାଟବସ୍ତ୍ର, ତୁଳସୀମାଳ, ନୈବେଦ୍ୟ ଓ ଫୁଲ-ଫଳ ସମ୍ଭାର । ଭୋଇସେବକ ମାନେ ଆଗରେ ପତାକା ଧରି ଯାତ୍ରା କରିଥିବାବେଳେ ଢୋଲିଆ ଓ ମହୁରିଆଙ୍କ ମଙ୍ଗଳ ବାଦ୍ୟରେ କମ୍ପିଛି ରାଜରାସ୍ତା । ପାଇକ ଆଖଡା ସାଙ୍ଗକୁ ଲଉଡ଼ି ଓ ବିଭିନ୍ନ ବେଶଧାରୀ ଯାତ୍ରା କରିଥିଲେ ।

ଶୋଭାଯାତ୍ରା ମାଧବରୁ ବାହାରି ଚନ୍ଦ୍ରମଉଳି, ଚାରିଛକ, ଗୋପ, ଗଣେଶ୍ବରପୁର, ନାଗପୁର, ଷୋଳପୁର, ମଦରଙ୍ଗ, ଛଇତନା ଦେଇ ବାଲିଘାଇଠା ପହଞ୍ଚିଥିଲା । ସେଠାରେ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଆଶ୍ରମଠାରେ ସାମୟିକ ରହଣି ପରେ ଦ୍ଵିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ପ୍ରଭୁଙ୍କ ପୋଢୁଆଁ ଭାର ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ଏହାପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାକୁ ଦାଖଲ କରାଯାଇଛି ।

ପ୍ରତିବର୍ଷ ପରି ଏହି ଯାତ୍ରାରେ ଅନେକ ସାଧୁସନ୍ଥ ସାମିଲ ହୋଇଥିଲେ ।