ବିଜେପି ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ବିଧାନସଭାରୁ ନିଲମ୍ବନ ଯଥାର୍ଥ: ପ୍ରତାପ ଦେବ

ଭୁବନେଶ୍ୱର: ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନକୁ ଯଥାର୍ଥ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ବିଜେପି ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ନିଲମ୍ବନ ଯଥାର୍ଥ । ଗୃହରେ ସବୁ କଥା ଉଠାଇବାର ସୁଯୋଗ ଅଛି । ଶାଳୀନତା ରଖା କରି ଗୃହର ମର୍ଯ୍ୟାଦା ରଖିବା ସଦସ୍ୟଙ୍କ କର୍ତ୍ତବ୍ୟ । ହେଲେ ସେମାନଙ୍କ ଆଚରଣ ଦୁଃଖଦାୟକ । ମହିଳା ବାଚସ୍ପତିଙ୍କ ପ୍ରତି ବିଜେପି ଯେଉଁ ଆଚରଣ କଲା, ସେଥିରୁ ସେମାନଙ୍କ ମାନସିକତା ଜଣାପଡୁଛି । ଏହା ନିନ୍ଦନୀୟ ବୋଲି ପ୍ରତାପ କହିଛନ୍ତି ।

ଏହା ବ୍ୟତୀତ ସେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କରିଛନ୍ତି । ପ୍ରତାପ କହିଛନ୍ତି, ଜୟନାରାୟଣ ଜୀବନ ପ୍ରତି ଯେଉଁ ବିପଦ କଥା କହୁଛନ୍ତି, ତାହା ପଲିଟିକାଲ ଡ୍ରାମା । ଏହା ବିହାର କି କାଶ୍ମିର ନୁହେଁ । ବିଜେପି ବିଧାୟକମାନେ ବିଧାନସଭାରେ ଯେଉଁ ବ୍ୟବହାର କରୁଛନ୍ତି, ତାହା ଶାଳୀନତା ବାହାରେ । ତାକୁ ଭିନ୍ନ ମୋଡ଼ ଦେବାକୁ ଜୟନାରାୟଣ ଏପରି କହୁଛନ୍ତି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।