‘ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ଆସିବ ବଡ଼ ଧରଣର ପୁଞ୍ଜି’

ଭୁବନେଶ୍ୱର: ଦୁବାଇରୁ ଓଡ଼ିଶାକୁ ଆସିପାରେ ବଡ଼ ଧରଣର ପୁଞ୍ଜି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦୁବାଇ ଗସ୍ତ କରିବେ । ବଡ଼ ପୁଞ୍ଜିନିବେଶ ଆସିଲେ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜାଗା, ପାଣି ଓ ବିଦ୍ୟୁତ ଯୋଗାଇ ଦିଆଯାଉଛି । ଏହା ସହ ଅନ୍ୟ ସମସ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଓଡ଼ିଶାରେ ଆଗାମୀ ୨୦ ବର୍ଷ ଶିଳ୍ପ କ୍ଷେତ୍ରରେ ଭଲ ସୁଯୋଗ ରହିଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

ସେପଟେ ୨୨ ବର୍ଷରେ ଓଡ଼ିଶା କିପରି ସାଜିଲା ଉଦାହରଣ, ମିଶନ ଜିରୋ କାଜୁଆଲଟିକୁ କିପରି ମିଳିଲା ସଫଳତା, ବିପର୍ଯ୍ୟୟ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଦିଗ୍‌ଦର୍ଶନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କରିଛନ୍ତି । ଦିନେ ଭୋକର ଭୂଗୋଳ କୁହାଯାଉଥିବା ଓଡ଼ିଶା ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ । ବିପଦଆପଦରେ ଅନ୍ୟ ରାଜ୍ୟ ଲାଗି ବି ଦେବଦୂତ ସାଜିଛି ଓଡିଶା । ଜାତିସଂଘ ୱାର୍ଲଡ ଫୁଡ ପ୍ରୋଗ୍ରାମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନୁଭୂତି ବାଣ୍ଟିବେ ।

ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କୁ ସାକ୍ଷାତ କରିବେ ନବୀନ । କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ । ଏହା ସହ ୟୁରୋପ ମହାଦେଶରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ସେଠାରେ ମଧ୍ୟପ୍ରାଚ୍ୟ ପୁଞ୍ଜିନିବେଶକଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।