ମହାପ୍ରଭୁଙ୍କ ପାଇଁ ଆସୁଛି ପୋଢ଼ୁଆଁ ଭାର

ପୁରୀ: ମଙ୍ଗଳବାର ପୋଢୁଆଁ ହେବେ ମହାପ୍ରଭୁ ଜଗନ୍ନାଥ। ମାର୍ଗଶୀର ଅଷ୍ଟମୀ ତିଥିରେ ଶ୍ରୀଜଗନ୍ନାଥଙ୍କ ପୋଢୁଆଁ । ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସୋମବାର ସପ୍ତମୀ ତିଥିରେ ଠାକୁରଙ୍କ ମାମୁଁ ଘର ଶ୍ରୀମାଧବଙ୍କ ପୀଠରୁ ଶ୍ରୀକ୍ଷେତ୍ରକୁ ପୋଢୁଆଁ ଭାର ଯାତ୍ରା ବାହାରିଛି । ଶ୍ରୀଜିଉଙ୍କ ପାଇଁ ପାଟବସ୍ତ୍ର ଓ ଅନ୍ୟାନ୍ୟ ପୋଢୁଆଁ ସାମଗ୍ରୀ ପଠାଯାଉଛି । ଭୋଇ ସେବକ ମାନେ ଆଗରେ ପତାକା ଧରି ଚାଲିଛନ୍ତି । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟରେ କମ୍ପୁଛି ପରିବେଶ । ପଛକୁ ଗଡ଼ୁଆ ସେବକ ଓ ପାଇକ ଆଖଡା କରୁଛନ୍ତି । ଏହା ସହିତ ରାମତାଳି ଓ ଲାଉଡ଼ି ପ୍ରଦର୍ଶନ କରାଯାଉଛି ।

ଯାତ୍ରା ବାଟରେ ପ୍ରାୟ ୯୦ରୁ ଅଧିକ ସୁଶୋଭିତ ସଂକୀର୍ତ୍ତନ ଦଳ ଓ ଘଣ୍ଟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ୨୦ ଜଣ ବେହେରା ସେବକ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ଶୋଭାଯାତ୍ରା ମାଧବରୁ ବାହାରି ଚନ୍ଦ୍ରମଉଳି, ଚାରିଛକ, ଗୋପ, ଗଣେଶ୍ବରପୁର, ନାଗପୁର, ଷୋଳପୁର, ମଦରଙ୍ଗ, ଛଇତନା, ବାଲିଘାଇ ଦେଇ ଅପରାହ୍ନ ୨ଟା ୩୦ରେ  ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ । ବାଲିଘାଇଠାରେ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଆଶ୍ରମଠାରେ ସାମୟିକ ରହଣିର ବ୍ୟବସ୍ଥା ହୋଇଛି । ସେଠାରୁ ଅପରାହ୍ନ ୩ଟାରେ ଦ୍ଵିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହେବ । ଅପରାହଣ ୫ଟା ସୁଦ୍ଧା ମହାପ୍ରଭୁଙ୍କ ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ । ଏହି ଯାତ୍ରାକୁ ମାଧବାନନ୍ଦ ବିକାଶ ପରିଷଦ ପକ୍ଷରୁ ପରିଚାଳନା କରାଯାଉଛି ।