ନିଜ ଦଳ ଗଢ଼ିପାରନ୍ତି ପ୍ରଶାନ୍ତ କିଶୋର: ବିହାରରୁ ଆରମ୍ଭ

ନୂଆଦିଲ୍ଲୀ: ନୂଆ ଦଳ ଗଢ଼ିବେ ନିର୍ବାଚନୀ ରାଜନୀତିର ବିଶିଷ୍ଟ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ଆଜି ସକାଳେ ସେ ଏକ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେ ବାସ୍ତବ ସମସ୍ୟା ବୁଝିବା ପାଇଁ ‘ପ୍ରକୃତ ମାଲିକ’ ଅର୍ଥାତ ଜନସାଧାରଣଙ୍କ ନିକଟକୁ ଯିବେ । ତାଙ୍କର ଏହି ଅନ୍ୱେଷଣ ବିହାରରୁ ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି । ଗଣତନ୍ତ୍ରରେ ଯଥୋଚିତ୍ ଯୋଗଦାନ ଏବଂ ଜନହିତକାରୀ ଯୋଜନାର ଉଚିତ୍ ରୂପାୟନ ନେଇ ସେ ୧୦ ବର୍ଷ ହେଲା ଖୋଜ୍ କରୁଥିଲେ । ବର୍ତ୍ତମାନ ସମୟ ଆସିଛି ଲୋକଙ୍କ ପାଖକୁ ଯିବାର । ଏବଂ ଏହାର ଆରମ୍ଭ ବିହାରରୁ ହେବ ।

ତେବେ ଗତ କିଛି ଦିନ ତଳେ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କ ସହ ହୋଇଥିବା ତାଙ୍କ ବୈଠକର ପ୍ରଶାନ୍ତଙ୍କ ରାଜନୈତିକ ଅଭିଳାଷାକୁ ପୂରା କରୁଥିବା ଭଳି କୌଣସି ନିଷ୍କର୍ଷ ବାହାରିନଥିବା ବେଳେ ଏଭଳି ଟ୍ୱିଟ୍ ନାନା ଚର୍ଚ୍ଚା ସୃଷ୍ଟି କରିଛି । ସେ ଗୋଟାଏ ନୂଆ ରାଜନୈତିକ ଦଳ ଗଠନ କରିବେ କିମ୍ୱା କୌଣସି ଦଳରେ ସାମିଲ ହେବ, ସ୍ପଷ୍ଟ ହୋଇନାହିଁ। ତେବେ ଏଭଳି ଟ୍ୱିଟ୍ ନୂଆ ରାଜନୈତିକ ଦଳ ଗଠନର ଚର୍ଚ୍ଚାକୁ ବେଶ୍ ଖୋରାକ୍ ଯୋଗାଇଛି । ପୂର୍ବରୁ ମଧ୍ୟ ସେ କହିଥିଲେ ଯେ, ସେ ନିର୍ବାଚନରେ ଭୂମିକା ଗ୍ରହଣ କରିଚାଲିବେ। କଂଗ୍ରେସରେ ଯୋଗ ଦେବାକୁ ମଳିଥିବା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାର ଅଳ୍ପ କେତେ ଦିନ ପରେ ସେ ଆଜି ‌ଏଭଳି ରହସ୍ୟଜନକ ଟ୍ୱିଟ୍‌ କରିଛନ୍ତି। ସେ କହିଥିଲେ, ଆପଣାଛାଏଁ ସୁଧୁରି ଯିବା ପାଇଁ କଂଗ୍ରେସର ସାମର୍ଥ୍ୟ ଥିବାରୁ ଦଳ ତାଙ୍କୁ ଲୋଡୁନାହିଁ ।

ପ୍ରଶାନ୍ତ କିଶୋର ୧୯୭୭ ମସିହାରେ ବିହାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାଆ ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର । ତାଙ୍କ ବାପା ବିହାର ସରକାରେ ଡାକ୍ତର ଭାବେ ଚାକିରି କରୁଥିଲେ । ତେବେ ତାଙ୍କ ସ୍ତ୍ରୀ ହେଉଛନ୍ତି ଜାହାନବୀ ଦାସ, ଯିଏ ଆସାମର ଗୌହାଟ୍ଟୀରେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି । ପିକେ ୨୦୧୪ ମସିହାରେ ମୋଦି ସରକାରଙ୍କୁ କ୍ଷମତାକୁ ଆଣିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ବିଶିଷ୍ଟ ରାଜନୈତିକ ରଣନୀତିଜ୍ଞ ଭାବେ ସେ ବେଶ ପରିଚିତ । ସେ ସର୍ବଦା ପରଦା ପଛରେ ରହି ନିଜ ରଣନୀତିକୁ କାର୍ଯ୍ୟକାରୀ କରିଆସୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟିକାକରଣ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ଟିକା ନେଇ ବାଧ୍ୟ କରାଯାଇପାରିବ ନାହିଁ’