୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ଆଇସିୟୁ, ଭେଣ୍ଟିଲେଟର, ଅକ୍ସିଜେନ ବ୍ୟବସ୍ଥା ଲାଗି ଦାବି କଲେ ସାଂସଦ ପ୍ରଶାନ୍ତ ନନ୍ଦ

ନୂଆଦିଲ୍ଲୀ: ୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ଅତିକମରେ ୨ଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର, ଅକ୍ସିଜେନ, ଡାକ୍ତର, ନର୍ସ ବ୍ୟବସ୍ଥା ହେଉ । ଅଧିକ ସମୟ ଧରି ଯାତ୍ରା କରୁଥିବା ଯାତ୍ରୀ ଓ ଶିଶୁଙ୍କ କ୍ଷେତ୍ରରେ ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଜରୁରୀ ଚିକିତ୍ସା ଅଭାବରୁ ଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଥାଏ । ଏହି ଧରଣର ଟ୍ରେନରେ ଯାତ୍ରୀଙ୍କ ଜୀବନ ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟସଭାରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଜି ସାଂସଦ ପ୍ରଶାନ୍ତ ନନ୍ଦ । ନିଜ ଅନୁଭବରୁ ସେ କହିଛନ୍ତି ସେ ଥରେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯାଉଥିବାବେଳେ ଜଣେ ୩୮ ବର୍ଷ ବୟସ୍କ ଯାତ୍ରୀ ହୃଦଘାତର ସମ୍ମୁଖୀନ ହୋଇଥିଲେ । ତେବେ ସେଠାରେ ଥିବା ଜଣେ ଡାକ୍ତର ତାଙ୍କୁ ବଞ୍ଚାଇବା ଲାଗି ଉଦ୍ୟମ କରିଥିଲେ ।

ମାତ୍ର ଅକ୍ସିଜେନ ଅଭାବରୁ ଯାତ୍ରୀଜଣକ ଆରପାରିକୁ ଚାଲିଯାଇଥିଲେ । କରୋନା ପରେ ଶିଶୁମାନେ ଅକ୍ସିଜେନ ସଂକଟର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନେବୁଲାଇଜର ସାଥୀରେ ନେଲେ ବି ତାହା କାମ ହେଉନାହିଁ । ଟ୍ରେନର ୧୧୦ ଡିସି କରେଣ୍ଟରେ ତାହା ଚାଲିନଥାଏ । କରୋନା ପରେ ସୋଡିୟମ ହ୍ରାସ ସମସ୍ୟା ବି ଦେଖାଯାଉଥିବାରୁ ସାଲାଇନର ଜରୁରୀ ଆବଶ୍ୟକତା ରହିଛି । ୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ସ୍ବତନ୍ତ୍ର ମେଡିକାଲ ଭ୍ୟାନ ରହୁ । ସେଥିରେ ଅତିକମରେ ୨ଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର, ଅକ୍ସିଜେନ, ଡାକ୍ତର, ନର୍ସ ବ୍ୟବସ୍ଥା ହେଉ ବୋଲି ଦାବି କରିଛନ୍ତି ସାଂସଦ ପ୍ରଶାନ୍ତ ନନ୍ଦ ।