୧୮ ହଜାର ସ୍କୋୟାର ଫୁଟରେ ଛିଡ଼ା ହୋଇଛି ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ ରୁମ୍

ଭୁବନେଶ୍ବର: ପୋଲିସ ଚାକିରିରୁ ବହିଷ୍କୃତ ଓ ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ୫ଟି ସ୍ଥାନରେ ଏକକାଳୀନ ଚାଲିଥିବା ଚଢ଼ାଉରେ ମିଳୁଛି କୋଟି କୋଟି ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି । ଡୁମୁଡୁମାରେ ଥିବା ତାଙ୍କ ସ୍ପାର୍କ ଫର୍ଣ୍ଣିଚର ଶୋ ରୁମରେ ଚାଲିଛି ଚଢ଼ାଉ ।

ଚଢ଼ାଉ ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା ଶୋ ରୁମ ଓ ଜମିର ପ୍ରକୃତ ମୂଲ୍ୟ କେତେ ସ୍ପଷ୍ଟ ହୋଇନାହିଁ । ତଥାପି ଯେତିକି ଜଣାପଡ଼ିଛି, ଜାଣିଲେ ଆଖି ଖୋସି ହୋଇଯିବ ।

ପ୍ରାୟ ୦.୨୫୦ ଏକର ଜମିରେ ଥିବା ଶୋ ରୁମ୍ ୨୦୧୯ ମସିହାରେ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କାରେ ପଞ୍ଜିକୃତ ହୋଇଥିଲା । ଯାହାର ପ୍ରକୃତ ବଜାର ମୂଲ୍ୟ ଏହାଠାରୁ ବହୁ ଅଧିକ । ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ଶୋ ରୁମ୍ ବିଲ୍ଡିଂ ପାଖାପାଖି ୧୮ ହଜାର ସ୍କୋୟାର ଫୁଟରେ ଛିଡ଼ା ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨ କୋଟିରୁ ଅଧିକ ହେବ । ଭିଜିଲାନ୍ସ ଟେକ୍ନିକାଲ ଓ୍ବିଙ୍ଗ ଜମି ଓ ବିଲ୍ଡିଂର ପ୍ରକୃତ ମୂଲ୍ୟ କେତେ ହେବ ତାହା ଯାଞ୍ଚ କରୁଛନ୍ତି ।

ସେହିପରି ଶୋ ରୁମକୁ ବହୁ ମୂଲ୍ୟବାଦ ଫର୍ଣ୍ଣିଚରରେ ସଜାଯାଇଛି । ଭିଜିଲାନ୍ସ ଟେକ୍ନିକାଲ ଓ୍ବିଙ୍ଗ, ଭିଜିଲାନ୍ସ ଫରେଷ୍ଟ ଓ୍ବିଙ୍ଗ କର୍ମଚାରୀମାନେ ପ୍ରଫେସନାଲ ଫର୍ଣ୍ଣିଚର ଉତ୍ପାଦନକାରୀଙ୍କ ସହାୟତାରେ ଏହାର ମୂଲ୍ୟ ନିର୍ଧାରଣ କରୁଛନ୍ତି । ଯାହା କୁହାଯାଇଛି ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା କି ତା’ଠାରୁ ଢେର ଅଧିକ ହୋଇପାରେ ।

ଜମି କିଣା, ଶୋ ରୁମ ବିଲ୍ଡିଂ ନିର୍ମାଣ ଓ ଫର୍ଣ୍ଣିଚରର ଗୋଟି ଗୋଟି ହିସାବ କରାଯାଉଛି ।

ସୂଚନାଯୋଗ୍ୟ, ବେଆାଇନ ଭାବେ ସାଉଥ୍ ସିଟି ହୋଟେଲ୍ ଓ ବାର୍ ଚାଲାଇବା ଅଭିଯୋଗରେ ପ୍ରସନ୍ନ ବେହେରାଙ୍କୁ ଗିରଫ ପରେ ଚାକିରିରୁ ବହିଷ୍କୃତ କରାଯାଇଥିଲା । ହୋଟେଲରେ ରେଡ୍ ବେଳେ ପୋଲିସକୁ ମିଳିଥିଲା ବିପୁଳ ପରିମାଣରେ ମଦ ।

Leave a Reply