ପ୍ରଶ୍ନ ବାଣରେ ଧର୍ମେନ୍ଦ୍ରଙ୍କୁ ଘାଇଲା କଲେ ପ୍ରଣବ

1 min read

ଭୁବନେଶ୍ୱର : ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଟାର୍ଗେଟ । ଏନ-୫୫ର ଦୁରବସ୍ଥା ନେଇ ପ୍ରଶ୍ନବାଣରେ ଘାଇଲା କଲେ ବିଜେଡି ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୧୦ ବର୍ଷର ମନ୍ତ୍ରିତ୍ବକୁ ନେଇ କାଠଗଡ଼ାରେ ଠିଆ କରାଇଛନ୍ତି ପ୍ରଣବ । କହିଛନ୍ତି, ସମ୍ବଲପୁରବାସିନ୍ଦାଙ୍କ ପାଖରେ ରହିଛି ଧର୍ମେନ୍ଦ୍ରଙ୍କ କଚ୍ଚାଚିଠା । ଯାହାର ଜବାବ ଆଗାମୀ ଦିନରେ ଭୋଟରେ ମିଳିବ ବୋଲି କହିଛନ୍ତି ପ୍ରଣବ । ସୋସିଆଲ ସାଇଟ ଏକ୍ସରେ ପୋଷ୍ଟ କରି ପ୍ରଣବ ଏନ-୫୫ର ଅପଡେଟ ନେଇ ପଚାରିଛନ୍ତି ପ୍ରଶ୍ନ । ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୁରବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଯାଇଛି । ଏହା କାହା ପାଇଁ ଓ କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଘଟିଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ । ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ଧର୍ମେନ୍ଦ୍ର ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା ଆଉ କ’ଣ ହୋଇପାରେ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ଯେଉଁମାନଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି କେଉଁ ମୁହଁ ନେଇ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ ? କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ଅଛି । ଜନସାଧାରଣ ଆପଣଙ୍କୁ ଉଚିତ୍ ଜବାବ ଦେବେ ବୋଲି ଏକ୍ସରେ ପୋଷ୍ଟ କରି କହିଛନ୍ତି ପ୍ରଣବ ।