କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ସାଂଗଠନିକ ସମ୍ପାଦକଙ୍କ କଡା ଜବାବ, EdCIL ସଂସ୍ଥା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ ଆସୁଛି ନା ନାହିଁ ପ୍ରଚାରିଲେ ପ୍ରଶ୍ନ

1 min read

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ଯୋଜନାଭିତ୍ତିକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସମ୍ପାଦକଙ୍କ କଡା ଜବାବ । EdCIL ସଂସ୍ଥା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ ଆସୁଛି ନା ନାହିଁ ବୋଲି ପ୍ରଶ୍ନ ପ୍ରଚାରିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । EdCIL ଭୁବନେଶ୍ୱର ଏମ୍ସ, ଭାରତୀୟ ସେନା, କୋଲ୍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଇଣ୍ଟେଲିଜେନ୍ସ ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ପାଇଁ ନିଯୁକ୍ତି ପରୀକ୍ଷା କରିଛି କି ନାହିଁ । ଯଦି EdCIL କେବେ ଭୁଲ୍ କରିଥିଲା, ତେବେ କଣ ଆକ୍ସନ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ  । ଏହାକୁ ବ୍ଲାକଲିଷ୍ଟେଡ୍ କରିବାକୁ ପଦକ୍ଷେପ ନେଲେନି କଣ ପାଇଁ । EdCIL ସଂସ୍ଥା ଭାରତୀୟ ସେନା ଏବଂ ଅଗ୍ନିବୀର ପାଇଁ ନିଯୁକ୍ତି ପରୀକ୍ଷା କରିଛି। ଏହି ସଂସ୍ଥା ଜରିଆରେ ହଜାର ହଜାର ସଂଖ୍ୟାରେ ଯବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ହେଲେ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଆଜି କେବଳ ନିଜ ସଂସ୍ଥାର ସ୍ୱଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡାକୁ ଟାଣି ଆଣିଛନ୍ତି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନସୀ କଣ କରେ ତାହା ଗୋଟେ ଛୁଆକୁ ପଚାରିଲେ ବି ସେ କହିଦେବ। ଏହି ସଂସ୍ଥା ନିଯୁକ୍ତି ପରୀକ୍ଷା କରେନାହିଁ କେବଳ ଏଣ୍ଟ୍ରାନ୍ସ ପରୀକ୍ଷା ପରିଚାଳନା କରିଥାଏ। ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି, ଏହା ଠାରୁ ଦୁର୍ଭାଗ୍ୟଜନକ କଥା ଆଉ କଣ ହୋଇପାରେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଛନ୍ତି ପ୍ରଣବ ପ୍ରକାଶ ଦାଶ । ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ ମିଛ କହି ଅତୀତରେ ଅନେକ ଥର ଧରାପଡିଛନ୍ତି । ଏବେ ପୁଣି ଡାହାମିଛ କହି ଓଡ଼ିଶାର ଯୁବପୀଢିର ଭବିଷ୍ୟତ ସହ ଖେଳୁଛନ୍ତି ଆଉ ସେମାନଙ୍କୁ ରାଜନୀତିରେ ମୋହରା ବନାଇବାକୁ ଚେଷ୍ଟା କରୁଛନ୍ତି । ଆଇନା ଆଗରେ ନିଜ ମୁହଁ ଦେଖିଲା ବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ କେଜାଣି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।