BCJD କାର୍ଯ୍ୟକାରିଣୀ ବୈଠକରେ ଛାତ୍ରନେତା ଦେଲେ ପରୀକ୍ଷା..

BCJD

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ଛାତ୍ର ଦେଲେ ପରୀକ୍ଷା । ୨୦ ମିନିଟ୍‌ ପରୀକ୍ଷାରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ୨୫ଟି ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଛାତ୍ର ନେତା । ଏହି ନୂଆପୀଢ଼ି ବିଜୁ ଓ ନବୀନଙ୍କୁ କେତେ ଜାଣିଛନ୍ତି, ତାକୁ ମାପିଥିଲେ ବିଜେଡି ସଂଗଠନ ସଂପାଦକ ପ୍ରଣବପ୍ରକାଶ ଦାସ । ପ୍ରଥମଥର ପାଇଁ କାର୍ଯ୍ୟକାରିଣୀ ବୈଠକରେ ଏଭଳି ପରୀକ୍ଷା ରାଜ୍ୟ ରାଜନୀତି ଇତିହାସରେ ଯୋଡ଼ିଛି ନୂଆ ଫର୍ଦ୍ଦ ।

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନା ଥିଲା ନେତା ଓ ବିଧାୟକଙ୍କ ଭିଡ଼ ନା ଶୁଣିବାକୁ ମିଳିଥିଲା ଲମ୍ବାଚଉଡ଼ା ଭାଷଣ । ନିଜ ବୈଠକକୁ ନିଜ ଢଙ୍ଗରେ ପରିଚାଳନା କରିଥିଲେ ଛାତ୍ରନେତା । ରାଜନୈତିକ ଚିଠା ପ୍ରସ୍ତୁତି ପାଇଁ, ନବନିର୍ବାଚିତ ପ୍ରତିନିଧିମାନେ ଦେଇଥିଲେ ଖୋଲା ମତ । ଶୃଙ୍ଖଳା ଓ ଅନୁଶାସନର ଦଳରେ ଏଥର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ପରୀକ୍ଷା । ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଛାତ୍ରଛାତ୍ରୀଙ୍କୁ ନବୀନୀଜିମ୍ ମନ୍ତ୍ର ଦେବା ସହ, ବିଜୁ ଓ ନବୀନଙ୍କ ସଂପର୍କରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ପରଖିଥିଲେ । ଏଥିପାଇଁ ୨୦ମିନଟର ଲିଖିତ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।

ବିଜୁ ଜନତାଦଳ କେବେ ପ୍ରତିଷ୍ଠା ହୋଇଥିଲା ? ନବୀନ ପଟ୍ଟନାୟକ ପ୍ରଥମେ କେଉଁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ? ସ୍ୱାଧିନତା ସଂଗ୍ରାମ ସମୟରେ ବିଜୁବାବୁ କେତେବର୍ଷ ଜେଲ ଦଣ୍ଡ ଭୋଗିଥିଲେ ? ଏମିତି ୨୫ଟି ପ୍ରଶ୍ନ ରହିଥିଲା ଛାତ୍ର ନେତାଙ୍କ ସାମ୍ନାରେ । ୨୦ମିନଟ ମଧ୍ୟରେ ଛାତ୍ରନେତାମାନେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ।

 ଏଭଳି ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରନେତାମାନଙ୍କୁ ଦଳ ସହ ଯୋଡ଼ିଥିଲେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ନୀତିକୁ ଛାତ୍ରନେତାମାନେ ଗାଁ ଗାଁରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ । କେବଳ ସେତିକି ନୁହେଁ ନୂଆପୀଢିକୁ ସଶକ୍ତ କରିବାରେ ଦଳ ପ୍ରସ୍ତୁତ କରିଥିବା ରାସ୍ତାକୁ ଆପଣେଇବାକୁ ମଧ୍ୟ କହିଥିଲେ । ପାଠ ପଢିବା ଓ ପରୀକ୍ଷା ଦେବା ଛାତ୍ରଛାତ୍ରୀଙ୍କ ପାଇଁ କିଛି ନୂଆ କଥା ନୁହେଁ । କିନ୍ତୁ କାର୍ଯ୍ୟକାରିଣୀ ବୈଠକରେ ଦଳୀୟ କାର୍ଯ୍ୟାଳୟରେ ହଠାତ୍‌ ଦଳ ଓ ନେତାଙ୍କ ସଂପର୍କରେ ପରୀକ୍ଷା ଦେବା ନୂଆ ଜୋସ୍‌ ଭରି ଦେଇଥିଲା ଛାତ୍ର ପ୍ରତିନିଧିଙ୍କ ଭିତରେ ।

Leave a Reply