ପ୍ରଣବଙ୍କ ଶକ୍ତି ପ୍ରଦର୍ଶନ ପରେ ବିଜେପିରେ କମ୍ପନ, ଉପନିର୍ବାଚନକୁ ନେଇ ଚାଲିଛି ଅପପ୍ରଚାର

ଯାଜପୁର: ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ହେଭିଓ୍ବେଟ ନେତା ପ୍ରଣବ ପ୍ରକାଶ ଦାସଙ୍କ ବୟାନକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ନିର୍ବାଚନ ଫଳାଫଳର ୩ ମାସ ପରେ ଯାଜପୁରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଣବ । ଏହାସହ ବିକାଶ ପାଇଁ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି । ଖୋଲା ମଞ୍ଚରେ ପ୍ରଣବ କହିଛନ୍ତି ଯେ, ବିକାଶକୁ କେହି ରୋକିପାରିବେ ନାହିଁ । ବିକାଶ କରିବା ଯଦି ପାପ, ତେବେ ସେ ପାପ ମୁଁ ବାରମ୍ବାର କରିବି । ଜନତାଙ୍କ ପାଇଁ ଲଢେଇ କରି ଯଦି ଜେଲ ଯିବାକୁ ପଡ଼ିବ ସେଥିପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଣବ । ଅନ୍ୟପଟେ ବବିଙ୍କ ଲଢ଼େଇ କରିବା ବୟାନ ଏବେ ଓଡ଼ିଶା ରାଜନୀତି ପାଣିପାଗକୁ ହଲଚଲ କରିଛି ।

ଜନ ସମ୍ପର୍କ ପଦଯାତ୍ରାର ଖୋଲା ମଞ୍ଚରେ ପ୍ରଣବଙ୍କ ଜନସେବା ଓ ବିକାଶର ଦମ୍ଭୋକ୍ତି ରାଜନେୈତିକ ପାଣିପାଗକୁ ଉଷ୍ମ କରିଛି । ୩ ମାସ ଧରି ତାଙ୍କ ନାଁକୁ ନେଇ ହେଉଥିବା ଅପପ୍ରଚାରର ଦୃଢ ଜବାବ ଦେଇ ଶାସକ ଦଳ ଉପରେ ବର୍ଷିଛନ୍ତି ପ୍ରଣବ । କହିଛନ୍ତି, ଯଦି ଦୁର୍ନୀତି କରିଛି, ତେବେ ମୋତେ ଜେଲରେ ପୂରାଅ । ହେଲେ ବିକାଶରେ ବାଧା ଦିଅନି । ବିକାଶ କରି ଯଦି ମୁଁ ପାପ କରିଛି, ସେ ପାପ ମୁଁ ବାରମ୍ବାର କରିବି । ଯାଜପୁରବାସୀଙ୍କ ଭଲ ପାଇବାକୁ ନତମସ୍ତକ ହୋଇ ପ୍ରଣାମ କରି ଶାସକ ଦଳର ମିଛ ପ୍ରତିଶ୍ରୁର ଖୁଲାସ କରିଛନ୍ତି ପ୍ରଣବ । ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ଯାଜପୁର ମେଡିକାଲ କଲେଜରେ ୧୦୦ ସିଟ ବଦଳରେ ୫୦ ସିଟ କରାଯିବାକୁ ନେଇ ବର୍ଷିଛନ୍ତି । ସେହିପରି ୩୦୦ ୟୁନିଟ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇଛନ୍ତି ପ୍ରଣବ । ଜନ ସମ୍ପର୍କ ପଦଯାତ୍ରାରେ ଶକ୍ତି ପ୍ରଦର୍ଶନ କରିବା ସହ ଆଗକୁ ବିକାଶ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ବୁଧବାର ପ୍ରଣବଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ଯେ, ପ୍ରଣବ ପ୍ରକାଶ ଜଣେ ଅନୁଭବି ଓ ସଫଳ ଯୋଦ୍ଧା । ନିର୍ବାଚନ ପାଇଁ ନୁହେଁ, ବିଭିନ୍ନ ଜନପ୍ରସଙ୍ଗକୁ ନେଇ ସେ ଲଢେଇ ଜାରି ରଖିବେ ବୋଲି ଆହ୍ବାନ ଦେଇଛନ୍ତି । ବିଜେଡି ସଂକଳ୍ପ ହେଉଛି ବିକାଶ, ଯାହା କହିଛନ୍ତି ପ୍ରଣବ । ସେହିପରି ବରିଷ୍ଠ ରାଜନେତା ସୁରେଶ ରାଉତରାୟ କହିଛନ୍ତି, ଯାଜପୁର ବିକାଶରେ ପ୍ରଣବ ପ୍ରକାଶ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ତେଣୁ ସବୁବେଳେ ଲଢ଼େଇ କରିବାକୁ ପ୍ରସ୍ତୁତ କହି ପ୍ରଣବ ଠିକ କହିଛନ୍ତି ।

ବିଜେପି କିନ୍ତୁ ପ୍ରଣବ ବୟାନକୁ ନେଇ ରାଜନୀତିର ଭାଷା କହିଛି । ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ ପ୍ରଣବ ଯାଜପୁରର ବିକାଶ କରିଛନ୍ତି, ତାହା ସେ ଭାଷଣରେ କହିଛନ୍ତି । ରାଜନେତା ଭାବେ ତାଙ୍କ ମନ୍ତବ୍ୟରେ ଯଥାର୍ଥତା ରହିଛି ।

ରାଜ୍ୟ ରାଜନୀତିରେ ଯାଜପୁରକୁ ନେଇ ବେଶ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଉଭୟ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି । ଗାନ୍ଧୀ ଜୟନ୍ତୀରେ ବିଜେଡି ପଦଯାତ୍ରା ସଭାରେ ପ୍ରଣବ ପ୍ରକାଶଙ୍କ ରାଜନୈତିକ ବୟାନ ଚର୍ଚ୍ଚାକୁ ଅଧିକ ଶାଣିତ କରିଛି ।