ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା

ଯାଜପୁର : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଯାଜପୁର ବରୁଆଁ ନିକଟରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କିଛି ଦୁର୍ବୃତ୍ତ ବିଧାୟକଙ୍କ ଉପରେ ଆକ୍ରମଣ କରିଥିବା ନିଜେ ବିଧାୟକ କହିଛନ୍ତି  । ଏହି ଆକ୍ରମଣ ପଛରେ ଯାଜପୁରର ପୂର୍ବତନ ବିଧାୟକ ପ୍ରବଣ ପ୍ରକାଶ ଦାସଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି  । ତେବେ ଏହାକୁ ଖଣ୍ଡନ କରିଛନ୍ତି ଯାଜପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରବଣ ପ୍ରକାଶ ଦାସ ।   ସେ କହିଛନ୍ତି ଯେ, ବିରଜା ପ୍ରକଳ୍ପକୁ ନେଇ କିଛି ଲୋକ ରାସ୍ତାରୋକ କରିଥିଲେ । ବିଧାୟକ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି । ବିଜେଡି କେବେ ହିଂସାରେ ବିଶ୍ବାସ କରେନି । ଆନ୍ଦୋଳନ ସମୟରେ କଣ ଘଟିଛି ତାହା ସେ ଜାଣନ୍ତି ନାହିଁ । କିନ୍ତୁ କୌଣସି ଭାବେ ହିଂସାକୁ ପ୍ରଶ୍ରୟ ଦିଆଯିବନି । ଏଭଳି ଖବର ଶୁଣି ସେ ତାଙ୍କ ଭାଇ ଓ ପୋଲିସକୁ ସହଯୋଗ କରିବାକୁ କହିଛନ୍ତି ।

ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ । ବିଧାୟକ ଓ ଆନ୍ଦୋଳକାରୀଙ୍କ ଭିତରେ ଉତ୍ତେଜନା ପରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ କିଛି ଭଙ୍ଗାରୁଜା କରିଥିବା ଶୁଣିବାକୁ ମିଳୁଛି । ତେଣୁ ଉଭୟ ପକ୍ଷରୁ କୌଣସି ପ୍ରକାର ହିଂସା ହେବା ଉଚିତ ନୁହେଁ। ବିଜେଡି ସବୁବେଳେ ଆଇନ ଶୃଙ୍ଖଳାକୁ ସମ୍ମାନ ଦେଇ ଆସୁଛି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ପୋଲିସ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯାଜପୁର ଏସପି ୟଶପ୍ରତାପ ଶ୍ରୀମାଲ ।

ପ୍ରଣପ ପ୍ରକାଶ ଦାସଙ୍କ ଭାଇ ତଥା ଯାଜପୁରର ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିରଜାଙ୍କ ପ୍ରକଳ୍ପକୁ ବନ୍ଦ କରାଯାଉଥିବାରୁ ଯାଜପୁରବାସୀ ଆନ୍ଦୋଳନ କରୁଥିଲେ । ସେହି ସମୟରେ ବିଧାୟକ ସେଠାରେ ପହଞ୍ଚି ଯାଜପୁରବାସୀଙ୍କ ପ୍ରତି ଆକ୍ରୋଶମୂଳକ ମନ୍ତବ୍ୟ ଦେବାରୁ ଆନ୍ଦୋଳନକାରୀ ଉତ୍ତେଜିତ ହୋଇଥିଲେ  । ସେ କହିଛନ୍ତି ଯେ, ସେ ନିଜେ ଏହି ଘଟଣା ପରେ ବିଧାୟକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଯଦି ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ମୋର ଭୂମିକା ଅଛି, ତେବେ ମୁଁ ଥାନାରେ ଅଛି ମତେ ଗିରଫ କରାଯାଉ ବୋଲି ସେ କହିଛନ୍ତି  ।