ପିସିସି ସଭାପତିଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ଭୁବନେଶ୍ୱର: ଓଡିଶା ଝିଅ ତଥା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ଅଣ୍ଟା ଭିଡିଛି ବିଜୁ ଜନତା ଦଳ । ବିରୋଧୀ ଦଳ ଏବଂ ସ୍ୱାଧୀନ ବିଧାୟକମାନଙ୍କୁ ସମର୍ଥନ ଦେବାକୁ ନିବେଦନ କରୁଛି ବିଜେଡି  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସନ୍ଧ୍ୟାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ପ୍ରତିନିଧି ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ବୁଝାଇଛନ୍ତି । ଦ୍ରୌପଦୀ ମୁର୍ମୁ ଓଡ଼ିଆ ଝିଅ ହୋଇଥିବାରୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ ।

ଆଜି ଦଳର ବରିଷ୍ଠ ନେତା ଓ ବିଧାୟକମାନଙ୍କୁ କଂଗ୍ରେସର ବିଧାୟକ ଓ ନେତାଙ୍କୁ ଭେଟି ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଥିଲେ । ଏନେଇ ପିସିସି ସଭାପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଜେଡି ତାଙ୍କ ଦାୟିତ୍ବ ତୁଲାଉଛନ୍ତି । ଆମେ ଆମ ଦାୟିତ୍ବ ତୁଲାଇବୁ । କଂଗ୍ରେସ କାହାକୁ ସମର୍ଥନ କରିବ ସେନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ ।