ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ କାଉଣ୍ଟର ‘ହାରିବା ଭୟରେ ହିଂସା କରୁଛି ବିଜେପି’

Pranab Prakash Das Counter BJP Dharmendra Pradhan

ଭୁବନେଶ୍ୱର: ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସମ୍ପାଦକ କାଉଣ୍ଟର । ହାରିବା ଭୟରେ ହିଂସା କରୁଛି ବିଜେପି । ବିଜେଡି ଅହିଂସାରେ ବିଶ୍ୱାସ କରେ । ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କ ଟ୍ୱିଟର ଜବାବ ଦେଇ ପ୍ରଣବ କହିଛନ୍ତି, ବିଜେପି ରାଜ୍ୟର ପ୍ରମୁଖ ବିରୋଧୀ ଦଳ । କିନ୍ତୁ ନିର୍ବାଚନ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି  ।

ପୂର୍ବରୁ ସାଂସଦ ଜୁଏଲ ଓରାମ ମହିଳାଙ୍କୁ ଅସଦାଚରଣ କରିବା ସହିତ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସରକାରୀ ଅଫିସରଙ୍କୁ ଆକ୍ରମଣ କରିଥିଲେ । ଯାହାକି ବିଜେପିର ହିଂସା ପ୍ରବଣତାକୁ ଦର୍ଶାଉଛି । ବିଜେପି ନେତା ଓ କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରିଛନ୍ତି । ଏହା ସହିତ କୋରାପୁଟ, ସାଲେପୁର, ବ୍ରହ୍ମଗିରି, କଣାସ, ଢେଙ୍କାନାଳ ଆଦି ଅନେକ ସ୍ଥାନରେ ବିଜେପି ନିର୍ବାଚନୀ ହିଂସା କରିଛନ୍ତି । ଏଣୁ ହିଂସାରୁ ଦୁରେଇ ବିଜେପି ଅହିଂସା ଦ୍ୱାରା ଗଣତନ୍ତ୍ରକୁ ସୁଦୃଢ କରୁ ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛନ୍ତି ପ୍ରଣବ । ଏକ ପ୍ରେସ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

Leave a Reply