ପ୍ରଣବ ପ୍ରକାଶ ଦାସଙ୍କୁ ବଦନାମ କରିବା ପାଇଁ ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ: ବିଜେଡିର ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବଦନାମ କରିବା ପାଇଁ ହେଉଛି ଉଦ୍ୟମ। ପ୍ରଣବ ପ୍ରକାଶ ରହୁଥିବା ସରକାରୀ ବାସଭବନକୁ ନେଇ ଗଣମାଧ୍ୟମରେ ଘନଘନ ଖବର ପ୍ରସାରଣ ଚାଲିଛି। ପ୍ରଣବ ପ୍ରକାଶ ଦାସ ରହୁଥିବା ବାସଭବନରେ ନିଜ ଆବଶ୍ୟକତା ଅନୁସାରେ କିଛି ପରିବର୍ତ୍ତନ କରିବା ସହ ଅସ୍ଥାୟୀ ସଂପ୍ରସାରଣ କରିଥିଲେ। ଏହା ଜିଏ ବିଭାଗର ଆଇନ ସମ୍ମତ। କିନ୍ତୁ ଏବେ ସେ ବାସଭବନ ଫେରାଇବା ପୂର୍ବରୁ ନିଜ ଆବଶ୍ୟକତା ମୁତାବକ କରିଥିବା ପରିବର୍ତ୍ତନକୁ ବଦଳାଇ ଘର ନେଲାବେଳେ ଯେମିତି ଥିଲା ସେମିତି କରି ଫେରାଇବାକୁ ଉଦ୍ୟମ କରିଥିଲେ। ତେବେ ଏହାକୁ ଅତିରଞ୍ଜିତ କରି ଖବର ପରିବେଷଣ କରାଯାଉଛି। ଯାହାକୁ ନେଇ ଖୋଦ୍ ପ୍ରଣବ ପ୍ରକାଶ ଦାସ ଦୁଃଖ ପ୍ରକାଶ କରିଛନ୍ତି।

କେବଳ ପ୍ରଣବ ପ୍ରକାଶ ଦାସଙ୍କ କ୍ବାର୍ଟର୍ସ ନୁହେଁ ରାଜଧାନୀରେ ଥିବା ପ୍ରାୟ ଅଧିକାଂଶ ସରକାରୀ ବାସଭବନରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି। ତେଣୁ ଆଜି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ସଂପୃକ୍ତ କ୍ବାର୍ଟର୍ସକୁ ଯାଇ ଯାଞ୍ଚ କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ମଧ୍ୟ ପରିବର୍ତ୍ତନ କରିଥିଲେ। ଏକ ସଂପ୍ରସାରିତ ସ୍ଥାୟୀ ଗୃହ ମଧ୍ୟ  କ୍ବାର୍ଟର୍ସ ପରିସରରେ ତିଆରି କରିଥିଲେ। ଏହି ଘରେ ହରିୟାନାରୁ ଆସିଥିବା ବହୁ ମୂଲ୍ୟବାନ ଜିନିଷ ଲାଗିଛି। ସାମ୍ନାରୁ ଏହା ସାମାନ୍ୟ ମାଟି ଘର ଭଳି ଦେଖା ଯାଉଥିଲେ ହେଁ ଏଥିରେ ବିଭିନ୍ନ ପ୍ରକାର ପ୍ରାକୃତିକ ତତ୍ତ୍ବର ଉପଯୋଗ ଯୋଗୁଁ ଏହା ବ୍ୟୟବହୁଳ ହୋଇଛି। ଯଦି ସାଂସଦ ପ୍ରତାପ ଷଡଙ୍ଗୀ ତାଙ୍କ ସରକାରୀ ଘରେ ପରିବର୍ତ୍ତନ କରିପାରିବେ ଓ ସମ୍ପ୍ରସାରଣ କରିପାରିବେ ତାହେଲେ ଜଣେ ବିଧାୟକ କାହିଁକି କରି ପାରିବେନି ବୋଲି ପ୍ରଶ୍ନ ଉଠିଛି।