ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ନେବେ ପ୍ରମୋଦ ସାୱନ୍ତ

ପାଣାଜୀ: ଆଜି ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାୱନ୍ତ । ପ୍ରମୋଦ ସାୱନ୍ତ ସୋମବାର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିବ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ପୁରୁଖା ନେତା ସାମିଲ୍ ହେବେ । ଏଥିସହିତ ବିଜେପି ଶାସିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ।

୧୧ ଟାରେ ପାଣାଜୀର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ସହିତ ବିଜେପି ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମସ୍ତ ରାଜ୍ୟ ବିଜେପି ସଭାପତିଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ଉତ୍ସବରେ ୧୦,୦୦୦ରୁ ଅଧିକ ଲୋକ ଯୋଗଦେବେ। ଗତ ନିର୍ବାଚନରେ ବିଧାନସଭାର ମୋଟ ୪୦ ଆସନରୁ ବିଜେପି ୨୦ଟିରେ ବିଜୟୀ ହୋଇଛି । ବିଜେପି ସରକାରକୁ ଏମଜିପିର ୨ ଓ ୩ ସ୍ବାଧୀନ ବିଧାୟକ ସମର୍ଥନ ଜଣାଇଛନ୍ତି।

ତେବେ ଶପଥ ଗ୍ରହଣ ଉତ୍ସବରେ କଳା ମାସ୍କ କିମ୍ବା କଳା ପୋଷାକ ପିନ୍ଧିଥଇବା ଲୋକଙ୍କୁ ଭିତରକୁ ପ୍ରବେଶ ନିଷେଧ କରିଛନ୍ତି । ଗୋଆ ବିଜେପି ସଭାପତି ସଦାନନ୍ଦ ଶେତ ତନବଡେ କହିଛନ୍ତି ଯେ,କଳା ମାସ୍କ ଏବଂ କଳା ପୋଷାକ ପିନ୍ଧିଥିବା ଲୋକଙ୍କୁ କାର୍ଯ୍ୟକ୍ରମ ସ୍ଥାନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।