ବିଜେପିକୁ ଟାର୍ଗେଟ କଲେ ପ୍ରମିଳା ମଲ୍ଲିକ, କହିଲେ ପୂର୍ବରୁ ବିଜେପି ନବ ଦାସଙ୍କ ବିରୋଧରେ କରିଛି ଷଡ଼ଯନ୍ତ୍ର

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଲା ମଲ୍ଲିକ । ଜୟନାରାୟଣଙ୍କୁ ନୀଳବର୍ଣ୍ଣ ଶୃଗାଳ ବୋଲି ସମ୍ବୋଧିକ କରି ସେ କହିଛନ୍ତି ଯେ ସେ ନିଜେ ହତ୍ୟାକାରୀ ହୋଇଥିବାରୁ ସମସ୍ତଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ନିଜକୁ ବଞ୍ଚାଇବାକୁ ଯାଇ ତାଙ୍କ ନାଁରେ ୧୬ଟି ବଡ଼ ଅପରାଧିକ ମାମଲା ରହିଛି । ସେ ଏବେ ଜାମିନରେ ଅଛନ୍ତି । ନବ ଦାସଙ୍କ ହତ୍ୟା ମାମଲାରେ ସେ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଗ୍ରହଣୀୟ ନୁହେଁ । ଏଭଳି କହି ବିଜେପିକୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ୨୦୧୭ ମସିହା ଗଞ୍ଜାମ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ହତ୍ୟାକାରୀଙ୍କୁ ଉତ୍ତରାଖଣ୍ଡରେ ଲୁଚେଇ ରଖିଥିଲେ ବିଜେପି ନେତା ।

ହତ୍ୟାକାରୀଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୃକ୍ତି ଥିଲା ବୋଲି ଅଭିଯୋଗ ହୋଇଥିଲା । ହତ୍ୟାକାଣ୍ଡରେ ସାମିଲ ହେବା, ହତ୍ୟାକାରୀଙ୍କୁ ସୁରକ୍ଷା ଦେବା ବିଜେପି ନେତାଙ୍କର ଅଭ୍ୟାସ । ୨୦୧୮ ମସିହା ବିଜେପୁର ଦିଲେଶ୍ବର ସାହୁ ହତ୍ୟା ଘଟଣାରେ ମଧ୍ୟ ବିଜେପି ସାମିଲ । ଏହି ହତ୍ୟାକାଣ୍ଡରେ ଜୟନାରାୟଣ ମିଶ୍ର ଓ ଇରାଶିଶ୍ ଆଚାର୍ଯ୍ୟ ଗିରଫ ହୋଇଥିଲେ । ଜୟନାରାୟଣ ଏବେ ବେଲରେ ଅଛନ୍ତି । ପଦମପୁର ଉପନିର୍ବାଚନ ସମୟରେ ନବ ଦାସଙ୍କୁ ବିଜେପି ନେତା ଧମକ ଦେଇଥିଲେ । ପଶ୍ଚିମ ଓଡ଼ିଶାରେ ନବ ଦାସ ଯେଉଁଭଳି ଭାବେ ସଂଗଠନ କରିଥିଲେ ତାକୁ ନେଇ ବିଜେପି ଭୟଭୀତ ଥିଲା । ପଶ୍ଚିମ ଓଡ଼ିଶାରେ ବିଜେପିର ସତ୍ତା ହଜିଯାଇଥାନ୍ତା ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ଏଥିସହ ମୁଁ ମରିଗଲି, ମୋତେ ମାରନା ବୋଲି କହି ବାଉଳେଇ ହେଉଛନ୍ତି ଜୟନାରାୟଣ । ନବ ଦାସଙ୍କ ହତ୍ୟା କାଣ୍ଡରେ କ୍ରାଇମବାଞ୍ଚ ରିପୋର୍ଟକୁ ଅପେକ୍ଷା କରନ୍ତୁ, ନହେଲେ ଆଗୁଆ ସରେଣ୍ଡର କରନ୍ତୁ ବୋଲି କହି ଜୟନାରାୟଣଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ପ୍ରମିଳା ମଲ୍ଲିକ । ଜୟନାରାୟଣଙ୍କ ଦେହ ଭଲ ନାହିଁ । ତାଙ୍କର ମାନସିକ ସ୍ଥିତି ଠିକ୍‌ ନାହିଁ । ବାଚସ୍ପତିଙ୍କୁ କହି ବିଶ୍ରାମ ନିଅନ୍ତୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।