spot_img

Latest Posts

ଓଡ଼ିଶା ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ, ପ୍ରମିଳା ମଲ୍ଲିକ ବନିଲେ ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ। ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ। ପ୍ରମିଳାଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେବାପରେ ତାହାକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପରେ ବାଚନିକ ଭୋଟରେ ଗୃହୀତ ହୋଇଥିଲା ପ୍ରସ୍ତାବ।

ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ ପରେ ପ୍ରମିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୃହର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତ ସଦସ୍ୟ ଗୃହର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଅନୁରୋଧ କଲେ ନବୀନ। ଉପବାଚସ୍ପତିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ବିଜେପି ବିଧାୟକ ଦଳ ତରଫରୁ ନବ ନିର୍ବାଚିତ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଜଣାଇଛନ୍ତି ଅଭିନନ୍ଦନ। ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ଵ ନେଇଥିବାରୁ ଆମେ ଗର୍ବିତ ବୋଲି କହିଛନ୍ତି ମୋହନ ମାଝି । ପ୍ରଥମ ମହିଳା ବାଚସ୍ପତି ହୋଇଥବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ଗତକାଲି ବିଧାନସଭା ସଚିବଙ୍କ ପାଖରେ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ପ୍ରମିଳା । ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥକ ହୋଇଥିଲେ । ଦଳର ବହୁ ବିଧାୟକ, ମନ୍ତ୍ରୀ ଓ ସାଂଗଠନିକ ସମ୍ପାଦକ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରମିଳା। ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା ।

୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଆସୁଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଥିଲେ । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Latest Posts

Don't Miss