ଆସନ୍ତା ୨୨ରେ ବାଚସ୍ପତି ନିର୍ବାଚନ, କାଲି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି । ଆସନ୍ତା ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ । ଏଥିସହ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ ।

୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।

୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସେ ନାମାଙ୍କନ ପତ୍ର ଦାଖଲ କରିବେ । ୨୨ ତାରିଖ ପୂର୍ବାହ୍ନ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟାଦୃଷ୍ଟିରୁ ପ୍ରମିଳା ମଲ୍ଲିକ ଆପାତତଃ ବିଜୟୀ ହେବେ । ପ୍ରମିଳା ବାଚସ୍ପତି ହେବା ପରେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ।