ବିରୋଧୀ ନାଟକବାଜି ଛାଡ଼ନ୍ତୁ, ଗୃହ କାର୍ଯ୍ୟରେ ଯୋଗଦିଅନ୍ତୁ: ପ୍ରମିଳା

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଂଗରେ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଧାନସଭା ଚଳାଇବାରେ ବିଜେପି ସଦସ୍ୟ ସହଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଛନ୍ତି , ଓଡ଼ିଶାବାସୀ ଏହାର ନିଶ୍ଚିତ ଜବାବ ଦେବେ । ପୂର୍ବରୁ ଯେତେଥର ଏଭଳି ବ୍ୟବହାର କରିଛନ୍ତି ତା’ର ଜବାବ ପାଇଛନ୍ତି ।  ଏଣୁ ନାଟକବାଜି ଛାଡ଼ି ଗୃହକାର୍ଯ୍ୟରେ ଯୋଗଦେବାକୁ ବିରୋଧୀ ଦଳଙ୍କୁ ନିବେଦନ କରିଛନ୍ତି ପ୍ରମିଳା ।

ସୂଚନା ଯୋଗ୍ୟ ଯେ, ସୋମବାର ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଅଚଳ ହୋଇଛି ଗୃହକାର୍ଯ୍ୟ । ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ ମାନେ ହୋ ହଲ୍ଲା ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇ ପାରିନାହିଁ  । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି  । ସେପଟେ ଶାସକ ବିଜେଡ଼ିର ବିଧାୟକ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବା ନେଇ ପ୍ରତିବାଦ କରିଛନ୍ତି  ।

ଗତ ୪ ଦିନରେ ଘଣ୍ଟାଏ ବି ଚାଲିପାରିଲାନି ଗୃହ । ପ୍ରଥମ ଦିନରେ ଶୋକ ପ୍ରସ୍ତାବକୁ ଛାଡି ୪ ମିନିଟ୍ ଚାଲିଥିଲା ଗୃହ । ଦ୍ବିତୀୟ ଦିନରେ ହୋହଲ୍ଲା ହଟ୍ଟଗୋଳ ଭିତରେ ଚାଲିଲା ୧୪ ମିନିଟ୍ । ତୃତୀୟ ଦିନରେ ହଟ୍ଟଗୋଳରେ ଗୃହ ୧୧ ମିନିଟ୍ ଚାଲିଥିବାବେଳେ  ଚତୁର୍ଥ ଦିନରେ ମାତ୍ର ୩ ମିନିଟ୍ ଚାଲିଛି ଗୃହ । ହଟ୍ଟଗୋଳ ଓ ହୋହଲ୍ଲା ଭିତରେ ରାଜ୍ୟର ସ୍ବାର୍ଥକୁ ଭୁଲି ଯାଉଛନ୍ତି ବିଜେପି ଓ କଂଗ୍ରେସ ସଦସ୍ୟ  ।

ବିଧାନସଭାରେ ପ୍ରତିଦିନ ହଟ୍ଟଗୋଳ କରିଚାଲିଛନ୍ତି ବିରୋଧୀ ସଦସ୍ୟ  । ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ସ୍ୱତେ ମଧ୍ୟ  ବିରୋଧୀଙ୍କ ଏଭଳି ବେପାରୁଆ ମନୋଭାବ ବିଧାନସଭାର ମୂଲ୍ୟକୁ କୁଠାରଘାତ କରିଛି  । ବିଧାନସଭା ଚାଲିବାର ଚତୁର୍ଥ ଦିନରେ ମଧ୍ୟ ଗୃହକାର୍ଯ୍ୟ ଅଚଳ ରହିଛି  । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ ଏଭଳି ଅଭିନବ ପ୍ରତିବାଦର ପ୍ରତିଯୋଗିତା ଭିତରେ ବଳି ପଡ଼ିଯାଉଛି ଓଡ଼ିଶାର ସ୍ୱାର୍ଥ ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାର ଐତିହ୍ୟକୁ ଅବହେଳା, ୯୦ରେ ବିଜୁ ବାବୁ ଦାବି କରିଥିଲେ

Leave a Reply