ପ୍ରକୃତିଙ୍କୁ ସିଡି଼ କରି ବଲିଉଡ୍ ଯିବାକୁ ଚାହୁଁଥିଲେ ବାବୁସାନ୍

ଭୁବନେଶ୍ୱର : ବାବୁସାନ ଓ ପ୍ରକୃତି ମିଶ୍ର ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ପ୍ରକୃତିଙ୍କ ପିତା ମନ୍ମଥ ମିଶ୍ରଙ୍କ ଅନୁସାରେ ପ୍ରକୃତିଙ୍କ ସହିତ ବାବୁସାନ୍ ସ୍ୱାର୍ଥ ପାଇଁ ସମ୍ପର୍କ ରଖିଥିଲେ । ପ୍ରକୃତିଙ୍କୁ ମାଧ୍ୟମ କରି ସେ ବଲିଉଡ଼୍ ଯିବାକୁ ଚାହୁଁଥିଲେ ବୋଲି କହିଛନ୍ତି ମନ୍ମଥ । ନନ୍ଦିଘୋଷକୁ ଫୋନ୍ ଯୋଗ ଦେଇଥିବା ସାକ୍ଷାତକାରରେ ଏଭଳି କହିଛନ୍ତି ମନ୍ମଥ । ମନ୍ମଥଙ୍କ ଅନୁସାରେ ପ୍ରକୃତିଙ୍କର ବଲିଉଡରେ ସମ୍ପର୍କ ରହିଛି ।

ମୁମ୍ବାଇରେ ରହି ସେ ଟେଲି ସିରିଏଲରେ ଅଭିନୟ କରନ୍ତି । ଏବେ ସେ ନାନା ପାଟେକରଙ୍କ ସହିତ ଏକ ଫିଲ୍ମରେ ଅଭିନୟ କରୁଛନ୍ତି । ଯାହାର ୨୫ ପ୍ରତିଶତ ସୁଟିଂ ସରିଛି । କରୋନା କାରଣରୁ ସୁଟିଂ ବନ୍ଦ ଥିଲା । ଏବେ ପୁଣି ସେହି ଫିଲ୍ମର ସୁଟିଂ ଆରମ୍ଭ ହେବ । ପ୍ରକୃତିଙ୍କ ଲିଙ୍କକୁ ବ୍ୟବହାର କରି ବଲିଉଡରେ ପାଦ ଦେବାକୁ ଚାହୁଁଥିଲେ ବାବୁସାନ୍ । ତେଣୁ ସେ ପ୍ରକୃତିଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଏହି ସମ୍ପର୍କ ପଛରେ ସ୍ୱାର୍ଥ ଥିଲା ବୋଲି ମନ୍ମଥ ଦାବି କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏନେଇ ବାବୁସାନଙ୍କ ପକ୍ଷରୁ ମନ୍ମଥଙ୍କ ବୟାନ ଉପରେ କୌଣସି ଟିପ୍ପଣୀ ଆସିନାହିଁ ।

ସୂଚନାଯୋଗ୍ୟ ଯେ, ବାବୁସାନ୍ ଓ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କକୁ ନେଇ ନିକଟରେ ରାସ୍ତା ଉପରେ ହାଇଡ୍ରାମା ହୋଇଥିଲା । ପ୍ରକୃତି କାରରେ ବାବୁସାନଙ୍କ ସହିତ ଯାଉଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ରାସ୍ତାରେ ଗାଡି ଅଟକାଇ ଉଭୟଙ୍କୁ ମାଡ଼ ମାରିଥିଲେ । ଏହାପରେ ବାବୁସାନ୍ ଓ ପ୍ରକୃତି ଚେନ୍ନାଇ ଚାଲିଯାଇଥିଲେ । ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ବାବୁସାନ୍ ଓଡ଼ିଶା ଫେରି ନାହାନ୍ତି  ।