ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ସାଲିସବିହୀନ ରାଜନେତା : ନବୀନ

1 min read

ଭୁବନେଶ୍ବର : ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ସାଲିସବିହୀନ ରାଜନେତା । ଜଣେ ନିର୍ଭୀକ ସାମ୍ବାଦିକ ଓ ଜଣେ ଜନନାୟକ । ପ୍ରଗତିବାଦୀ ଖବର କାଗଜର ପ୍ରତିଷ୍ଠାତା ଭାବେ ଲୋକଙ୍କ ସ୍ୱାର୍ଥକୁ ପ୍ରଥମେ ଗୁରୁତ୍ୱ ନେଇ ସେ କାମ କରିଆସୁଥିଲେ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଦ୍ଯୁମ୍ନ ବଳଙ୍କ ଦୁଇ ଦିନିଆ ଜୟନ୍ତୀ ସମାରୋହର ଉଦଯାପନୀ ସଂଧ୍ଯାରେ ଯୋଗଦେଇ ଏହି ମତ ରଖିଛନ୍ତି ନବୀନ । ପ୍ରଗତିବାଦୀ ପକ୍ଷରୁ ପ୍ରଦ୍ଯୁମ୍ନ ବଳଙ୍କ ଜୟନ୍ତୀ ପାଳନ କରିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ ସମସ୍ତ ପୁରସ୍କୃତ ଓ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କୁ ନବୀନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ନବୀନ ପହଞ୍ଚିବା ପରେ ପ୍ରଥମେ ସ୍ବର୍ଗତ ପ୍ରଦ୍ଯୁମ୍ନ ବଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପ୍ରଗତିବାଦୀର ନିର୍ଦ୍ଦେଶିକା ଶାଶ୍ଵତୀ ବଳ, ଅଧ୍ୟକ୍ଷ ମୋନାଲିସା ବଳ, କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ଏହି ଅବସରରେ ପ୍ରଦ୍ଯମ୍ନ ବଳଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ସଂକଳନକୁ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ବିଶିଷ୍ଟ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତିଙ୍କୁ ପ୍ରଦ୍ଯମ୍ନ ବଳ ସମ୍ମାନ-୨୦୨୪ ଓ ମୟୂରଭଞ୍ଜ ବେତନଟୀର ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କୁ ପ୍ରଦ୍ଯମ୍ନ ବଳ ସାମ୍ବାଦିକତା ସମ୍ମାନ ପ୍ରଦାନ କରିଥିଲେ ନବୀନ । ଏହାବାଦ ଅନ୍ୟପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।