ବିଜୟଙ୍କ ଅନୂଭୂତି: ‘ଚ୍ୟାଲେଞ୍ଜ ଦେଇ କାମ କରିବା ସେ ଶିଖିଥିଲେ, ଯାହା ଚାହୁଁଥିଲେ ତାହା କରି ଦେଖାଉଥିଲେ’

1 min read
Pradeep Maharathy

ଭୁବନେଶ୍ୱର: ଆଉ ନହାନ୍ତି ମହାରଥୀ । ଯାତ୍ରା ମହାରଥୀ, ଶହ ଘୋଡ଼ାକୁ ଶହେ ହାତୀ- ଏକା ଲଢ଼ିବ ମହାରଥୀ, ଏଭଳି ଅନେକ କଥା ରହିଛି ପ୍ରଦୀପ ମହାରଥୀଙ୍କୁ ନେଇ । ହେଲେ ଯାହା ପାଇଁ ଏତେ କଥା, ସେ ଆଜି ଆରପାରିରେ । ସାରା ରାଜ୍ୟରେ ଶୋକକୂଳ ପରିବେଶ । ଆଉ ଶୋକାକୂଳ ପରିବେଶରେ ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ଶେଷକୃତ୍ୟ ।

ଚ୍ୟାଲେଞ୍ଜ ଦେଇ କାମ କରିବା ଜାଣିଥିଲେ ମହାରଥୀ । ଦିନେ ବିଜୁ ବାବୁଙ୍କୁ ଜୋର ଜବରଦସ୍ତି ଠେଲି ନେଇ ସଭାରେ ଛିଡ଼ା କରିଥିବା ବ୍ୟକ୍ତି ହେଉଛି ସେହି ମହାରଥୀ । ରଧାନାଥ ରଥ ସଭାକାର୍ଯ୍ୟ ଆରମ୍ଭ କରିବାର ଥିଲା କିନ୍ତୁ ମହାରଥୀ ଚାହିଁଥିଲେ ବିଜୁ ବାବୁ ଆରମ୍ଭ କରନ୍ତୁ । ଆଉ ତାହା କରି ଦେଖାଇଥିଲେ । ସଭାକୁ ବିଜୁ ବାବୁ ନିମନ୍ତ୍ରୀତ ନଥାଇ ମଧ୍ୟ ତାଙ୍କୁ ମଞ୍ଚରେ ଛିଡ଼ା କରାଇଥିଲେ ମହାରଥୀ । ଏଭଳି କିଛି ପୁରୁଣା କଥାକୁ ମନେ ପକାଇଛନ୍ତି ଚଣ୍ଡିଖୋଲର ବିଜୟ ସାହୁ ।

Pradeep Maharathy

ସ୍ୱର୍ଗତ ମହାରଥୀଙ୍କୁ ମନେ ପକାଇ କିଛି ଅନୂଭୂତି ବଖାଣିଛନ୍ତି ବିଜୟ । ସେ କହିଛନ୍ତି, ଭିପି ସିଂ ରାଜୀଵ ଗାନ୍ଧୀଙ୍କ ମନ୍ତ୍ରୀ ମଣ୍ଡଳରୁ ଅର୍ଥମନ୍ତ୍ରୀ ଭାବେ ଇସ୍ତଫା ଦେଇ ଜନମୋର୍ଚା ଗଠନ କରୁଥାନ୍ତି । ଏଥିରେ ଓଡିଶାରୁ ଭଜମନ ବେହେରା, ଅନାଦି ଦାସ ବି ଥିଲେ । ଦେବାଶିଷ ନାୟକ ଆବାହକ ବୋଧେ ଥିଲେ । ଭିପି ସିଂ ବିଭିନ୍ନ ରାଜ୍ୟ ଭ୍ରମଣ କରି ବୋଫର୍ଶ ଘଟଣା ଉପରେ ସଭା ସମିତି କରୁଥାନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ପ୍ୟାରେଡ୍‌ ଗ୍ରାଉଣ୍ଡରେ ଏକ ଜନସଭା ଘୋଷଣା ହୋଇଥାଏ । ସେପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ନେତା ବିଜୁ ବାବୁ ଭିପିଙ୍କ ଉଦ୍ୟମକୁ ଗୁରୁତ୍ୱ ଦେଇ ନଥାନ୍ତି, ବରଂ ଜନମୋର୍ଚାକୁ ସେ ପ୍ରଥମେ ଜନମୂର୍ଚ୍ଛା ବୋଲି କହିଥିଲେ ।

 

ସଭା ଦିନ ବିଜୁ ବାବୁ ଉପସ୍ଥିତ ହେବା ସୂଚନା ବି ନଥିଲା । ଘୋଷଣା ହୋଇଥିଲା ସମାଜ ସମ୍ପାଦକ ଡକ୍ଟର ରାଧାନାଥ ରଥ ସଭାପତିତ୍ୱ କରିବେ । ହେଲେ ବୋଧେ ବିଜୁ ବାବୁ ସଭା ପୂର୍ବ ଦିନ ବୁଝି ପାରିଲେ ଯେ ଭିପିଙ୍କ ଜନସଭା ଜୋରଦାର ହେବ । ଆମେ ମାନେ ପଡ଼ିଆରେ ମିଟିଂ ଶୁଣିବା ପାଇଁ ଯାଇଥାଉ । ହଠାତ୍‌ ଦେଖିଲୁ ପ୍ରଦୀପ ମହାରଥୀ ପିପିଲରୁ ପ୍ରାୟ ଦୁଇରୁ ତିନି ହଜାର ଲୋକ ଧରି ସଭାସ୍ଥଳରେ ପହଞ୍ଚିଲେ ଓ ସାଙ୍ଗରେ ବିଜୁ ବାବୁଙ୍କୁ ଶୋଭାଯାତ୍ରାରେ ଆଣିଥାନ୍ତି ।

ପ୍ରଦୀପ ମହାରଥୀ ବିଜୁ ବାବୁଙ୍କୁ ମଞ୍ଚ ଉପରକୁ ଠେଲି ନେଇ ବସେଇ ଦେଲେ । ବିଜୁ ବାବୁ ବିନା ନିମନ୍ତ୍ରଣରେ ସଭାପତି ଆସନ ଅଳଙ୍କୃତ କରି ସଭାକାର୍ଯ୍ୟ ଆରମ୍ଭ କରିଦେଲେ । ପୋଷ୍ଟରରେ ଘୋଷିତ ସଭାପତି ରାଧାନାଥ ରଥ ଆଶ୍ଚର୍ଯ୍ୟ ହୋଇ ବସି ରହିଲେ । ଅବଶ୍ୟ କିଛି ସମୟ ପରେ ବିଜୁ ବାବୁ କହିଲେ ଏଣିକି ବାବୁଜୀ ସଭା ପରିଚାଳନା କରିବେ । ସେଦିନ ସଭାରେ ଜବରଦସ୍ତି ବିଜୁ ବାବୁଙ୍କୁ ଅନୁପ୍ରବେଶ କରାଇବାରେ ମୁଖ୍ୟ ନାୟକ ଥିଲେ ପ୍ରଦୀପ ମହାରଥୀ । ଆଜି ସେଇ ମହାରଥୀଙ୍କ ଜୀବନ ରଥ ଅଟକି ଯାଇଛି ।

ବିଜୟ ସାହୁ, ଚଣ୍ଡୀଖୋଲ

Leave a Reply