ଜାପାନରେ ଟାଇଫୁନ ନାନମାଦୋଲର ତାଣ୍ଡବ, ଦକ୍ଷିଣ- ପଶ୍ଚିମାଞ୍ଚଳର ପ୍ରାୟ ୪୦ ଲକ୍ଷ ଲୋକ ସ୍ଥାନାନ୍ତର

1 min read

ଟୋକିଓ: ଜାପାନରେ ତୀବ୍ର ଆକାର ଧାରଣ କଲା ଟାଇଫୁନ ନାନମାଦୋଲ । ପବନର ବେଗ ତୀବ୍ର ହେଉଥିବା ବେଳେ ଦକ୍ଷିଣ-ପଶ୍ଚିମ ଜାପାନରେ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଖାଲି କରି ଦିଆଯାଇଛି । କ୍ୟୁସୁ ଅଞ୍ଚଳ ଅନ୍ତର୍ଗତ କାଗୋସିମା ଅଞ୍ଚଳ ଲାଗି ଜାପାନ ପାଣିପାଗ ବିଭାଗ ଜାରି କରିଛି ବିରଳ ସ୍ୱତନ୍ତ୍ର ଓ୍ବାର୍ଣ୍ଣିଂ । ଏହି ଧରଣର ଓ୍ୱାର୍ଣ୍ଣିଂ ଅତୀତରେ କେବେ ଜାରି କରାଯାଇ ନଥିଲା । ଏହି ଟାଇଫୁନକୁ ଦୃଷ୍ଟିରେ ରଖି ଶତାଧିକ ଟ୍ରେନ, ୫୧୦ ବିମାନ, ବହୁସଂଖ୍ୟକ ବୋଟକୁ ବାତିଲ କରାଯାଇଛି ।

ତୋଫାନକୁ ଦୃଷ୍ଟିରେ ରଖି ହଜାର ହଜାର ଲୋକ ଆଶ୍ରୟସ୍ଥଳୀରେ ଠୁଳ ହୋଇଛନ୍ତି । ଉଚ୍ଚ ଜୁଆର ମାଡ଼ିଆସିବା ସହ ପ୍ରବଳ ପବନ ଯୋଗୁ ବିପୁଳ କ୍ଷତି ହେବା ଆଶଙ୍କା କରାଯାଉଛି । ପବନର ବେଗ ଘଣ୍ଟା ପ୍ରତି ୨୭୦ କିଲୋମିଟରରୁ ଅଧିକ ହେବା ଆକଳନ କରାଯାଇଛି । ୨୪ ଘଣ୍ଟାରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରାଯାଇଛି ।