ସ୍ଥଳ ଭାଗ ଛୁଇଁଲା ପରେ ପ୍ରଳୟ ରଚିଲା ବାତ୍ୟା ’ମୋକା’

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ବାତ୍ୟା ମୋକା। ବାଂଲାଦେଶର କକ୍ସବଜାର ଓ ଉତ୍ତର ମିଆଁମାର ଉପକୂଳ ମଧ୍ୟରେ ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁଛି ମୋକା । ପ୍ରଭାବରେ ବାଂଲାଦେଶ, ମିଆଁମାର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାକୁ ୨ ଶହ କିଲୋମିଟର ବେଗରେ ପବନ ବହିଛି । ଭାଙ୍ଗି ଯାଇଛି ବିରାଟ ଗଛ, ଘର । ଭୁଶୁଡ଼ି ପଡ଼ିଛି ବିଦ୍ୟୁତ ଭିତ୍ତିଭୂମି । ଚାରିଆଡ଼େ ବିପର୍ଯ୍ୟସ୍ତ କରିପକାଇଛି ବାତ୍ୟା । ସମୁଦ୍ରରେ ଉଚ୍ଚ ଜୁଆର ସହିତ ପ୍ରବଳ ବର୍ଷା ଜନ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି । ବାଂଲାଦେଶର କକ୍ସବଜାର, ଚଟ୍ଟଗ୍ରାମ ଓ ପାୟରା ବନ୍ଦରରେ ଆଲର୍ଟ ଜାରି କରାଯାଇଛି । ଗତ ଦୁଇ ଦଶନ୍ଧି ଭିତରେ ମୋକା ସବୁଠୁ ଶକ୍ତିଶାଳୀ ବାତ୍ୟା ଭାବେ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି ।

ଭାସନ ଚାର ଉପକୂଳରେ ୫୫ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଥିବା ବେଳେ ୩୦ ହଜାର ରୋହିଂଗ୍ୟା ଶରଣାର୍ଥୀଙ୍କୁ ସ୍ଥାନାନ୍ତର କରାଯାଇଛି । ଦକ୍ଷିଣ ପୂର୍ବାଞ୍ଚଳରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ସ୍ଥିତି ସମୀକ୍ଷା କରିବା ସହ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କକ୍ସ ବଜାର ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେଠାରେ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୮ ହଜାର ୬୦୦ ରେଡ କ୍ରିସେଣ୍ଟ ସ୍ବେଚ୍ଛାସେବୀ ଉଦ୍ଧାରରେ ନିୟୋଜିତ ହୋଇଥିବାବେଳେ ଅନ୍ୟାନ୍ୟ ବାହିନୀ ମଧ୍ୟ ନିୟୋଜିତ ହୋଇଛନ୍ତି ।