ପରଲୋକରେ ପୁନିତ, କର୍ଣ୍ଣାଟକରେ ହାଇ ଆଲର୍ଟ

 ନୂଆଦିଲ୍ଲୀ: କନ୍ନଡ ସିନେମାର ପାୱାର ଷ୍ଟାର କୁହାଯାଉଥିବା ଅଭିନେତା ପୁନିତ ରାଜକୁମାରଙ୍କ ଆଜି ଦେହାନ୍ତ ହୋଇଛି। ଅକ୍ଟୋବର ୨୯ରେ ହୃଦଘାତ ପରେ ତାଙ୍କୁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିଥିଲା ।  କ୍ରିକେଟର ଭେଙ୍କଟେଶ ପ୍ରସାଦ ଟ୍ୱିଟରରେ ଟ୍ୱିଟ କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ପୁନିତ ରାଜକୁମାର ୪୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିକ୍ରମ ହସ୍ପିଟାଲର ଡାକ୍ତର ରଙ୍ଗନାଥ ନାୟକଙ୍କ କହିବା ହେଉଛି ଛାତିରେ ଯନ୍ତ୍ରଣା ହେତୁ ପୁନିତଙ୍କୁ ଶୁକ୍ରବାର ସକାଳ ୧୧ଟା ୩୦ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତତକ୍ଷଣାତ ତାଙ୍କୁ  ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା | ରାଜକୁମାରଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ହେଉଛି ସେମାନେ ପୁନିତଙ୍କୁ  ବଞ୍ଚାଇବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରିଲେନି । ତେବେ ଡାକ୍ତର ଏହା ମଧ୍ୟ କହିଛନ୍ତିଯେ ହସ୍ପିଟାଲକୁ ଆସିବା ପୂର୍ବରୁ ପୁନିତ ଏକ ଲୋକାଲ କ୍ଲିନିକକୁ ଯାଇଥିଲେ, ଯେଉଁଠାରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିବା କ୍ଲିନିକ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ପରେ ବିକ୍ରମ ହସ୍ପିଟାଲକୁ ଯିବା ରାସ୍ତାରେ ତାଙ୍କୁ କାର୍ଡ଼ିଆକ୍‌ ଅରେଷ୍ଟ ଆସିଥିଲା ।

ପୁନିତ ହେଉଛନ୍ତି ଅଭିନେତା ରାଜକୁମାର ଏବଂ ପାର୍ବତମ୍ମାଙ୍କ ପୁତ୍ର  । ଦୁଇଟି କିମ୍ବା ତିନୋଟି ନୁହେଁ ବରଂ ୨୯ରୁ ଅଧିକ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ ପୁନିତ | ଦେଶର ପ୍ରତି ଘରେ ଘରେ ସେ ପରିଚିତ ।

ପୁନିତ  ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ | ତାଙ୍କ ପ୍ରଥମ ଚଳଚ୍ଚିତ୍ରର ନାଁ ହେଉଛି ‘ବେଟାଡା ହୁଭୁ’, ଯାହା ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ​​|

କେବଳ ସେତିକି ନୁହେଁ, ବରଂ ସେ ଫିଲ୍ମ ଚଲିସୁଭା ମୋଡାଗାଲୁ ଏବଂ ୟେରାଡୁ ନକ୍ଷତ୍ରଗାଲୁରେ ଶ୍ରେଷ୍ଠ ଶିଶୁ କଳାକାର ଭାବେ କର୍ଣ୍ଣାଟକ ରାଜ୍ୟ ପୁରସ୍କାର ପାଇଥିଲେ।  ପୁନିତ, ଆପୁ ଭାବରେ ସାରା ଦେଶରେ ବେଶ୍‌ ପ୍ରସିଦ୍ଧ | ସେ ‘ଅଭି’, ‘ଭେରା କନ୍ନଡିଗା’, ‘ଅଜୟ’, ‘ଆରାସୁ’, ‘ରାମ’, ‘ହୁଡୁଗୁରୁ’ ଏବଂ ‘ଅଞ୍ଜାନୀ ପୁତ୍ର’ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ର ପାଇଁ ବେଶ୍‌ ଜଣାଶୁଣା। ତାଙ୍କୁ ଶେଷ ଥର ପାଇଁ ‘ଯୁବାରଥନା’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିଥିଲା ​​|

ସୂଚନାଯୋଗ୍ୟ ପୁନିତଙ୍କ ପରଲୋକରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ଏବେ ସମସ୍ତେ କେବଳ ତାଙ୍କ ଶେଷ ଦର୍ଶନ ଅପେକ୍ଷାରେ । ଅନ୍ୟପଟେ ଯେପରି ପୁନିତଙ୍କ ପରଲୋକରେ ତାଙ୍କ ଫ୍ୟାନ୍ସଙ୍କ ଗହଳି ନ ଜମେ ସେଥିପାଇଁ କର୍ଣ୍ଣାଟକ ସରକାର ଜିଲ୍ଲା କମିଶନର ଏବଂ ପୋଲିସ ଡିପାର୍ଟମେଣ୍ଟକୁ ସିକ୍ୟୁରିଟି ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply