ଜଗନଙ୍କ ସହ କଥାହେଲେ ନବୀନ, ସ୍ଥଗିତ ରହିଲା ଅଣ୍ଡା ଦିଆ କୁକୁଡ଼ା ଚାଷୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଦୁଇ ଦିନ ଧରି ଚାଲିଥିବା ଅଣ୍ଡା ଦିଆ କୁକୁଡ଼ା ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଲା । ଚାଷୀଙ୍କ ଆନ୍ଦୋଳନ ସଂକ୍ରାନ୍ତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଜାତୀୟ ଅଣ୍ଡା ସମନ୍ବୟ କମିଟିର ମନମାନିକୁ ଅଣ୍ଡାଦିଆ କୁକୁଡା ଚାଷୀ ଜୋରଦାର ବିରୋଧ କରିଥିଲେ । ଏନଇସିସି ଚଳାଇଥିବା ଚାଷୀମାରଣ ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ ।

ସୂଚନା ମୁତାବକ ଗୋଟିଏ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ପାଖାପାଖି ୪ ଟଙ୍କା ୭୫ ପଇସା ପଡୁଥିବା ବେଳେ ଖାଉଟି ସାଢେ ୬ଟଙ୍କାରୁ ୭ଟଙ୍କାରେ କିଣୁଛନ୍ତି । କିନ୍ତୁ ଚାଷୀଙ୍କଠାରୁ ବ୍ୟବସାୟୀ ଅଣ୍ଡା କିଣୁଛନ୍ତି ମାତ୍ର ୩ ଟଙ୍କା ୭୦ ପଇସାରେ । ଅଣ୍ଡା ପିଛା ଚାଷୀ କ୍ଷତି ସହୁଛନ୍ତି ୧ ଟଙ୍କା ୭୦ପଇସାରୁ ଅଧିକ । ଏପ୍ରିଲ ୪ ତାରିଖରେ ଏନେଇ ଏନଇସିସି ବିରୋଧରେ ଆନ୍ଦୋଳନ ହୋଇଥିଲା । ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ହେଲେ ଦାବି ପୂରଣ ନ ହେବାରୁ ଖୋର୍ଦ୍ଧା ଭୁବନେଶ୍ବର ରାସ୍ତାର ଗଙ୍ଗପଡ଼ା ଛକ ନିକଟରେ ବିକ୍ଷୋଭ କରିଥିଲେ ଚାଷୀ ।

ଗତ ଦୁଇ ବର୍ଷ ହେଲା,  ରାଜ୍ୟ ଅଣ୍ଡା ଉତ୍ପାଦନକାରୀ ଚାଷୀମାନେ ଏନଇସିସି ୩.୩୦ ଟଙ୍କାରେ ଅଣ୍ଡା ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି  । ଏହାଦ୍ୱାରା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟର ଅଣ୍ଡାଦିଆ କୁକୁଡ଼ା ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି  । ଏନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଚାଷୀମାନେ ଏନଇସିସି ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ  । ପନ୍ଦର ଦିନ ମଧ୍ୟରେ ସମସ୍ୟାର ସମାଧାନ ଲାଗି ଏନଇସିସି ରାଜ୍ୟ କୃଷିମନ୍ତ୍ରୀଙ୍କ ସହ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି  । ଯାହାକୁ ନେଇ ପୁନର୍ବାର କୁକୁଡ଼ା ଚାଷୀମାନେ ୧୬ ନମ୍ବର ଜାତୀୟ ରାଜପଥରେ ବିକ୍ଷୋଭ କରିଥିଲେ  ।