ଆସୁନି ଆଳୁ, ନିୟନ୍ତ୍ରଣ ବାହାରକୁ ଗଲାଣି ଦର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅନିଶ୍ଚିତତା ମଧ୍ୟକୁ ଚାଲିଗଲାଣି ଆଳୁ ସ୍ଥିତି। ପଶ୍ଚିମବଙ୍ଗ ସରକାରଙ୍କ ସହ ହୋଇପାରୁନି ବ୍ୟବସାୟୀଙ୍କ ବୈଠକ। କେବେ ସ୍ବାଭାବିକ୍ ହେବ ସ୍ଥିତି ତାହା କି କହିହେଉନି। ପଶ୍ଚିମବଙ୍ଗରୁ ଗଳା ବାଟ ଦେଇ ଆଳୁ ଆସୁଥିବା ବେଳେ, ଦାମ୍ କିନ୍ତୁ ଉଚ୍ଚ ରହୁଛି। ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡୁଛି। କେବେ ସ୍ଥିତିରେ ଆସିବ ସୁଧାର, ଆକଳନ କରିବା ମୁସ୍କଲ। ଏଭଳି ସ୍ଥିତି ସରକାର ସମାଧାନର ବାଟ ବାହାର କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ଓ ବ୍ୟବସାୟୀ।
ଆଳୁ ସଙ୍କଟ ଆଉ କେତେ ଦିନ ? କେବେ ସ୍ବାଭାବିକ୍ ହେବ ସ୍ଥିତି ? ରାଜ୍ୟକୁ ଆସୁନି ଆଳୁ ଗାଡ଼ି। ବଢୁଛି ଦାମ୍, ଖାଉଟି ହେଲେଣି ନୟାନ୍ତ। ଧୀରେ ଧୀରେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି ଓଡ଼ିଶାରେ ଆଳୁ ସ୍ଥିତି। ସମସ୍ୟାର ସମାଧାନ ହେବା ବଦଳରେ ଜଟିଳ ହେଉଛି ସ୍ଥିତି। ପଶ୍ଚିମବଙ୍ଗରେ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ମଧ୍ୟ ହୋଇପାରୁନି। ଡାକ୍ତରଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗରେ ସ୍ଥିତି ଗଡ଼ବଡ଼ ଥିବାରୁ ବସି ପାରୁନି ଆଳୁ ସମ୍ପର୍କିତ ବୈଠକ। ଯେଉଁଥି ପାଇଁ ଚୋରା ବାଟରେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଛି ଆଳୁ ଗାଡ଼ି। ଖାଲି ପଶ୍ଚିମବଙ୍ଗ ନୁହେଁ, ୟୁପି ଓ ପଞ୍ଜାବରୁ ମଧ୍ୟ ଆଳୁ ଆସୁଛି। ରାଜ୍ୟରେ ଦୀର୍ଘ ଦିନ ଧରି ଏଭଳି ସ୍ଥିତି ଜାରି ରହିଥିବାରୁ ଦ୍ବନ୍ଦ୍ବରେ ପଡିଛନ୍ତି ବ୍ୟବସାୟୀ। ଆଳୁ ସ୍ଥିତି କେତେବେଳେ କଣ ହେବ ତାହା କିଛି କହିହେବ ନାହିଁ ବୋଲି କହିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଏଭଳି ସ୍ଥିତିରେ ଆଳୁ ଗୋଦାମ ମାଲିକଙ୍କ କହିବା କଥା, ସେମାନେ କ୍ଷତି ସହିଲେଣି। ଏବଂ ବ୍ୟବସାୟ ଅନ୍ଧାର ଭିତରକୁ ଚାଲିଗଲାଣି ବୋଲି କହୁଛନ୍ତି ବ୍ୟବସାୟୀ।
ଆସୁନି ଆଳୁ, ନିୟନ୍ତ୍ରଣ ବାହାରକୁ ଗଲାଣି ଦର। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ହଟହଟା ହେଉଛନ୍ତି ଖାଉଟି। ଏବେ ବି ଆଳୁ ଦର ବଜାରରେ କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି। ଖୁଚୁରା ବ୍ୟବସାୟୀ ଗ୍ରାହକଙ୍କ ଅସନ୍ତୋଷକୁ ନେଇ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଆଜି ରାଜ୍ୟକୁ ୨୫୦ରୁ ଅଧିକ ଆଳୁ ଗାଡି ପଶ୍ଚିମବଙ୍ଗ, ୟୁପି ଓ ପଞ୍ଜାବରୁ ଆସିଛି। ଏହା ସତ୍ତ୍ବେ ବି ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବାରୁ ସଙ୍କଟ ଭୟଙ୍କର ରୂପ ନେବାରେ ଲାଗିଛି।