ଚିନ୍ତାରେ ଖାଉଟି, କେବେ କମିବ ରାଜ୍ୟରେ ଆଳୁ ଦର ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ କେବେ କମିବ ଆଳୁ ଦର ? ଏବେ ବି ୩୫ ଟଙ୍କା ଉପରେ ରହିଛି ଦାମ୍ । ଏଯାଏଁ ପଶ୍ଚିମବଙ୍ଗରୁ ପର୍ଯ୍ଯାପ୍ତ ଆଳୁ ନଆସିବା ଏବଂ ଖୁଚୁରା ବ୍ଯବସାୟୀ ଅଧିକ ଦର ନେବା କାରଣରୁ ଦର ଅଧିକ ରହୁଛି । ତୃଣମୂଳସ୍ତରରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଏଭଳି ସ୍ଥିତି ହୋଇଥିବା ଅଭିଯୋଗ ହୋଇଛି । ଏପଟେ ଦରଦାମ ବୃଦ୍ଧି ନେଇ ଡବଲ ଇଞ୍ଜିନ ସରକାର ବିରୋଧରେ ବିକ୍ଷୋଭ କରିଛି କଟକ ବାରବାଟୀ କଂଗ୍ରେସ ।

କେଉଁଠି ୩୫ ତ କେଉଁଠି ୫୦ । ସପ୍ତାହେ ପରେ ବି ସ୍ବାଭାବିକ ହେଉନି ଆଳୁ ଦର । ମନ୍ତ୍ରୀଙ୍କ ବୋଲ ମାନୁନି ବଜାର । ପଶ୍ଚିମବଙ୍ଗରୁ ଏବେବି ଆସୁନି ପର୍ଯ୍ଯାପ୍ତ ଆଳୁ ।  ପଶ୍ଚିମବଙ୍ଗରେ ଆଳୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ରହିଛି । ଏହି ହିସାବରେ ଓଡ଼ିଶାରେ ମାର୍କେଟ ଦର ୩୨ ଟଙ୍କା ହେବାକଥା । ହେଲେ ଖୁଚୁରା ବ୍ଯବସାୟୀ ଅଧିକ ଦରରେ ଆଳୁ ବିକୁଥିବା କହିଛନ୍ତି ରାଜ୍ଯ ବ୍ଯବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା । ଦର କମ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବି ତୃଣମୂଳସ୍ତରରେ ନିୟନ୍ତ୍ରଣ ନାହିଁ । ହୋଲସେଲ ଓ ରିଟେଲ ପ୍ରାଇସ ଅନୁପାତ ସରକାର ସ୍ଥିର କରିବା କଥା । ହେଲେ ତାହା କରାଯାଉନାହିଁ । ଯେଉଁଥିପାଇଁ ସମସ୍ଯା ହେଉଥିବା ବ୍ଯବସାୟୀ ସଂଘ କହିଛି ।

ବଲାଙ୍ଗୀର ବଜାର । ଶ୍ରାବଣ ମାସରେ ସାଧାରତଣତଃ  ଆଳୁ କେଜି ପିଛା ୨୦ରୁ ୨୫ ଟଙ୍କା ରହିଥାଏ । ହେଲେ ଚଳିତବର୍ଷ ଦାମ ୫୦ ଟଙ୍କା ପାର କରିଛି । ବିଭିନ୍ନ ସ୍ଥାନରେ ଧରପଗଡ଼ ପରେ ଏବେ ଦାମ ୪୫ ଟଙ୍କାକୁ ଖସିଛି । ଏପଟେ ଦୃରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି କଟକ ବାରବାଟୀ କଂଗ୍ରେସ । ରାଜ୍ଯବାସୀଙ୍କୁ ଡବଲ ଇଞ୍ଜିନ ସରକାର ଧୋକାଦେଇଛି । ଆଳୁଠୁ ଆରମ୍ଭ କରି ପ୍ରାୟ ସବୁ ପରିବା ଦାମ ୫୦ ଟଙ୍କା ପାର ହୋଇଥିବାବେଳେ ତେଜରାତି ସାମଗ୍ରୀ ଦର ବି ଆକାଶ ଛୁଆଁ । ତୁରନ୍ତ ଏଦିଗରେ ସରକାର ପଦକ୍ଷେପ ନନେଲେ ଆନ୍ଦୋଳନ ବ୍ଯାପକ କରିବାକୁ ଦଳ ଚେତାବନୀ ଦେଇଛି ।