ଆଳୁ ସଙ୍କଟ: କୃତ୍ରିମ ଅଭାବ କହି ଖସି ଯିବାକୁ ଯୋଗାଣ ମନ୍ତ୍ରୀଙ୍କ ଅପଚେଷ୍ଟା, ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ବର: ପଶ୍ଚିମବଙ୍ଗ ଛାଡୁନି ଆଳୁ । ରାଜ୍ୟର ବିଜେପି ସରକାର ସେଠାରୁ ଯୋଗାଣ ସ୍ବାଭାବିକ କରିବାକୁ ହେଉନାହାନ୍ତି ସମର୍ଥ । ରାଜ୍ୟରେ ବଢ଼ି ଚାଲିଛି ଆଳୁ ଦର । ଏମିତି ସ୍ଥିତିରେ ଆଳୁ ଦରକୁ ନେଇ ରାଜ୍ୟ ସରକାର ଲୋକଙ୍କ ସହ ଖେଳୁଛନ୍ତି । ସ୍ଥିତି ଗମ୍ଭୀର ଥିବା ବେଳେ ଦାୟିତ୍ବହୀନ ଭାବେ ଉଦ୍ଭଟ ଯୁକ୍ତି ବାଢୁଛନ୍ତି ଯୋଗାଣ ମନ୍ତ୍ରୀ । ଆଳୁ ଦର କେମିତି କମିବ ସେ ବ୍ୟବସ୍ଥା କରିବା ବଦଳରେ କୃତ୍ରିମ ଅଭାବ ଦର୍ଶାଇ ନିଜେ ଖସି ଯିବାକୁ ଚାହୁଁଛନ୍ତି । ଯାହାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି ।

ଆଳୁ ଦରକୁ ନେଇ ଓଡ଼ିଶାବାସୀ ହେଉଛନ୍ତି ହନ୍ତସନ୍ତ । ହେଲେ ଯୋଗାଣ ମନ୍ତ୍ରୀଙ୍କୁ ଚିନ୍ତା ନାହିଁ । ବାରମ୍ବାର ଗଣମାଧ୍ୟମ ଆଗରେ କରୁଛନ୍ତି ବେଫିକର ବୟାନବାଜି । କେତେବେଳେ କହୁଛନ୍ତି ଟ୍ରେନରେ ଆଳୁ ଆସିଲେ ଦର କମିବ ତ କେତେବେଳେ ଯୁପି ଆଳୁର ବାହାନା ଦେଖାଉଛନ୍ତି । ଏବେ ମନ୍ତ୍ରୀଙ୍କ ନୂଆ ବୟାନକୁ ନେଇ ସବୁଠି ଚର୍ଚ୍ଚା । ମନ୍ତ୍ରୀଙ୍କ ଯୁକ୍ତି ହେଲା, ରାଜ୍ୟରେ ଆଳୁ ଦଳ ବଢିବା ମଣିଷକୃତ । କୃତ୍ରିମ ଅଭାବ କରାଯାଇ ଆଳୁ ସଙ୍କଟ ସୃଷ୍ଟି କରାଯାଇଛି । ପଶ୍ଚିମବଙ୍ଗ ସରକାର ପ୍ରଥମେ ଆଳୁ ଦେବାକୁ ମନା କଲେ, ଏବେ ଦେବେ ବୋଲି କହୁଛନ୍ତି । ଆଳୁ ବଜାର ସ୍ବାଭାବିକ ଅଛି ।

ଯୋଗାଣ ମନ୍ତ୍ରୀଙ୍କ ଏପରି ବିତଣ୍ଡା ଯୁକ୍ତି ନେଇ ବର୍ଷିଛି ବିଜେଡ଼ି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି, କୁଆଡ଼େ ଗଲା ୩ ଶହ ଟ୍ରକ ଆଳୁ । ୮ ଦିନ ହେଲାଣି ଟ୍ରକ କ’ଣ ଆସିପାରୁନାହିଁ ? ମନ୍ତ୍ରୀ ଆଳୁ ଦର ନେଇ ଗାଲୁ କଥା କହିବା ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରମିଳା ।

ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢୁଛି । ରୋଷେଇ ଘରେ ଚଡ଼କ ପଡ଼ିଛି, ହେଲେ ଶାସକ ଦଳକୁ ଚିନ୍ତା ନାହିଁ । ଯୋଗଣ ମନ୍ତ୍ରୀଙ୍କ ପରି ବିଜେପି ବିଧାୟକ ଅଗସ୍ତି ବେହେରା ହାଲକା ମନ୍ତବ୍ୟ ଦେଇଛନ୍ତି । ବିଧାୟକ ସାରଦା ଜେନା କହିଛନ୍ତି ମନ୍ତ୍ରୀଙ୍କ ଆଳୁ ସଂକ୍ରାନ୍ତ ବୟାନ ଓଡ଼ିଶାବାସୀଙ୍କ ମନରେ ଆଘାତ ଦେଇଛି । ଦରଦାମ ନିୟନ୍ତ୍ରଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯୋଗାଣ ମନ୍ତ୍ରୀ ଏପରି ବିତଣ୍ଡା ଯୁକ୍ତି ବାଢିବା ଦୁର୍ଭାଗ୍ୟଜନକ । ମନ୍ତ୍ରୀଙ୍କ ବୟାନକୁ କଂଗ୍ରେସ ବି କଡ଼ା ସମାଲୋଚନା କରିଛି ।

ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ସବୁ ମହଲରେ ନିନ୍ଦା

ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ନେଇ ବିଭିନ୍ନ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ବ୍ୟବସାୟୀ ସଂଘ ସମେତ ନାଗରିକ ସୁରକ୍ଷା ମଞ୍ଚ ଓ କ୍ଷୁଦ୍ର ବ୍ୟବସାୟୀମାନେ ଅସନ୍ତୋଷ ଝାଡିଛନ୍ତି । ଯଦି ଆଳୁ ସଙ୍କଟ ମନୁଷ୍ୟକୃତ ବୋଲି ମନ୍ତ୍ରୀ କହୁଛନ୍ତି ତା’ହେଲେ ଏହାର ସମାଧାନ କିଏ କରିବା କଥା ବୋଲି ପ୍ରଶ୍ନ କରିଛି ସଙ୍ଘ । ଯଦି ସରକାରଙ୍କ କଥା ସତ ହୋଇଥାଏ ଏହାର ସମାଧାନ ସରକାର କରିବା କଥା । କେଉଁ ମନୁଷ୍ୟ ଏହା କରିଛନ୍ତି ତାଙ୍କ ଉପରେ ସରକାର ଆକ୍ସନ ନିଅନ୍ତୁ । ଖାଲି ମନୁଷ୍ୟକୃତ ବୋଲି କହି ସରକାର ଖସିଗଲେ ଚଳିବ ନାହିଁ । କିଏ ଆଳୁ ସଙ୍କଟ ପାଇଁ ଦାୟୀ ତାଙ୍କ ଉପରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବୋଲି ପ୍ରଶ୍ନ  କରିଛନ୍ତି ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା ।

ସରକାରଙ୍କ ପାଖରେ ସବୁ କିଛି କ୍ଷମତା ଅଛି । ଯଦି ସରକାରଙ୍କ ପାଖରେ ସଠିକ ତଥ୍ୟ ଅଛି କିଏ ସଙ୍କଟ ସୃଷ୍ଟି କରିଛି ତାହା ସାର୍ବଜନୀନ କରନ୍ତୁ । ଯଦି କାର୍ଯ୍ୟାନୁଷ୍ଠାନ ନେବା ରାଜ୍ୟ ସରକାରଙ୍କ କ୍ଷମତା ବାହାରେ ଅଛି ତା’ହେଲେ କେନ୍ଦ୍ରର ଦୃଷ୍ଟିକୁ ଏ କଥାକୁ ଆଣନ୍ତୁ । ପଶ୍ଚିମବଙ୍ଗରୁ ଆଳୁ ସ୍ୱାଭାବିକ ଭାବେ ଆସିନାହିଁ । ଚୋରାରେ ଲୁଚାଛପାରେ ଆଳୁ ଆସୁଛି ବୋଲି କହିଛି ବ୍ୟବସାୟୀ ସଂଘ ।

ଆଜି ୟୁପି ଆଳୁ ଗୋଦାମରୁ କିଲୋ ପ୍ରତି ୩୦ ଟଙ୍କା ଓ ପଶ୍ଚିମବଙ୍ଗ ଆଳୁ କିଲୋ ପ୍ରତି ୩୨ ଟଙ୍କା ରେ ବିକ୍ରି ହେଉଛି । କିନ୍ତୁ କ୍ଷୁଦ୍ର ବ୍ୟବସାୟୀ କେତେ ଦରରେ ବିକିବେ ତାର କିଛି ପଲିସି ସରକାର ଆଣୁନାହାନ୍ତି । ସେଥିପାଇଁ ଯିଏ ଯାହା ମନଇଚ୍ଛା ଦରରେ ବିକୁଛନ୍ତି ବୋଲି କହିଲେ ସୁଧାକର ପଣ୍ଡା ।

ସେପଟେ ଖୋଦ ଶାସନରେ ଥାଇ ମଧ୍ୟ ଆଳୁ ସଂକଟ ମନୁଷ୍ୟକୃତ କହିବା ଓ ଏହାର ସମାଧାନ ନ କରିବା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି କହିଛି ନାଗରିକ ସୁରକ୍ଷା ମଞ୍ଚ । ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ମଧ୍ୟ ଦରଦାମ ନିୟନ୍ତ୍ରଣ ଓ ଆଳୁ ସଂକଟର ସମାଧାନ ନ କରି କେବଳ ମିଛ କହିବା ଗ୍ରହଣୀୟ ନୁହେଁ । ଯଦି ଯୋଗାଣ ମନ୍ତ୍ରୀ ନ ପାରୁଛନ୍ତି ତା’ହେଲେ ନିଜ ପଦ ଛାଡିବା ଉଚିତ ବୋଲି ଦାବି କରିଛି ମଞ୍ଚ ।

ସେପଟେ ଆଳୁ ବ୍ୟାପକ ଭାବେ ଉପଲବ୍ଧ ଓ ଦର କମିଲା ବୋଲି ମନ୍ତ୍ରୀ କହୁଥିବା ବେଳେ ଏବେ ବି ଆଳୁ ବଜାରରେ ୫୦ ଟଙ୍କାରୁ କମରେ ବିକିବା ସମ୍ଭବ ନୁହେଁ ବୋଲି କହିଛନ୍ତି କ୍ଷୁଦ୍ର ବ୍ୟବସାୟୀ ।