ରୋଷେଇ ଘରେ ଆଳୁ ନାହିଁ, ଦର ଛୁଇଁବ ୭୦

ଭୁବନେଶ୍ୱର: ରୋଷେଇ ଘରେ ବଜ୍ରପାତ । ଲେମ୍ବୁ ପରେ ହୁ ହୁ ହୋଇ ବଢିଚାଲିଛି ଆଳୁ ଦର। ଗତ ଦଶ, ପନ୍ଦର ଦିନ ହେବ ଲଗାତର ଭାବେ ଆଳୁ ଦର ବଢି ଚାଲିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢୁଥିବାରୁ ଆଳୁ ଦର ବଢୁଛି। ୧୮ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ କିଲୋ ପିଛା ୨୫ଟଙ୍କାରେ ବିକ୍ରି ହେଉଛି। ଆଗକୁ ଏହା ୭୦ଟଙ୍କା ଛୁଇଁପାରେ। ତେଲ ଦରରେ ନିଆଁ ପରେ ଆଳୁ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଉଛି ।

ଆମିଷ, ହେଉ କି ନିରାମିଷ, ସବୁ ମେନୁରେ ଆଳୁ ଜରୁରୀ । ଧନୀ ହୁଅନ୍ତୁ କି ଗରିବ, ହୋଟେଲ୍ ହେଉ କି ଘର ଖାଇବା ପ୍ଲେଟରେ ଆଳୁରେ ତିଆରି ବ୍ୟଞ୍ଜନ ରହିବା ଏକପ୍ରକାର ନିଶ୍ଚିତ । ଖୁବ୍ ଶୀଘ୍ର ଆଳୁ କିଣିବା ବେଳେ ଆପଣ ଦି ଥର ଭାବିବେ, କାରଣ ୧୮ରୁ ୨୫ ଛୁଇଁଲାଣି ଆଳୁ କିଲୋ । ବଜାରରେ ପିଆଜ ଦର ୧୫ ଟଙ୍କାରେ ସ୍ଥିର ରହିଛି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଆଳୁ ଦର ୨୫ ଛୁଇଁଲାଣି । ଦୁଇ ସପ୍ତାହ ତଳେ ଆଳୁ କିଲୋ ପିଛା ୧୮ଟଙ୍କା ଥିଲା। ହେଲେ ଏବେ ବଜାର ଦର ୨୫ ହୋଇଛି, କିଛି ଅସାଧୁ ବ୍ୟବସାୟୀ ୩୦ ଟଙ୍କାରେ ବି ବିକୁଛନ୍ତି । ସ୍ଥିତି ଏପରି ରହିଲେ ଦୁଇ ବର୍ଷ ତଳକୁ ଫେରିଯିବ ରାଜ୍ୟ। ଖୁଚରା ବଜାରରେ ଆଳୁ କିଲୋ ୭୦ ଟଙ୍କାରେ ବିକ୍ରି ହେବା ନେଇ ଆଶଙ୍କା ବି ଦେଖାଦେଲାଣି।

ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା ଆଳୁର ପରିବହନ ଖର୍ଚ୍ଚ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ବଢୁଛି । ଏପରିକି ବସ୍ତାରୁ ପଚା ଓ ଗୁଣ୍ଡ ଆଳୁ ବାହାରୁ ଥିବାରୁ ଭଲ ଆଳୁକୁ ଚଢା ଦରରେ ବିକୁଛନ୍ତି ଦୋକାନୀ। ପେଟ୍ରୋଲ ଓ ଡିଜେଲ ଦର ବଢିବାରୁ ଅତିରିକ୍ତ ୫୦ରୁ ୬୦ ଟଙ୍କା ବଢିଛି ପରିବହନ ଖର୍ଚ୍ଚ। ପଶ୍ଚିମବଙ୍ଗରୁ ୧୫୦୦ରୁ ୧୬୫୦ ଟଙ୍କାରେ ଆସୁଥିବା ଆଳୁ, ଓଡ଼ିଶା ହୋଲସେଲ ବଜାରରେ କ୍ବିଣ୍ଟାଲ ପିଛା ୧୬୫୦ରୁ ୧୭୫୦ ଟଙ୍କାରେ ବିକ୍ରି ହେଉଛି। ଉତ୍ତରପ୍ରଦେଶରୁ ଆଳୁ ଆସିବାକୁ ୪ଦିନ ଲାଗୁଛି। ଟାଣ ଖରାରେ ଆଳୁ ପଚିଯାଉଛି। ଫଳରେ ୧୬୦୦ରୁ ୧୬୫୦ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ଆଗକୁ ଏହା ଆହୁରି ୧୦୦ ଟଙ୍କା ବଢିବ। ସେହିପରି ଶୀତଳ ଭଣ୍ଡାରରୁ ଆଳୁ ଆସିଲେ, ଅଧିକ ୫୦ ଟଙ୍କା ବଢିବା ସମ୍ଭାବନା ରହିଛି। ବ୍ୟବସାୟୀଙ୍କ ବର୍ଦ୍ଧିତ ଦର ଖାଉଟିଙ୍କୁ ହିଁ ବହନ କରିବାକୁ ପଡ଼ିବ। ସେପଟେ ଦର ବୃଦ୍ଧି ଯୋଗୁ ଖାଉଟି ବି କମ୍ ଆଳୁ କିଣୁଛନ୍ତି।

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁ ଅଧିକ ପରିବହନ ଖର୍ଚ୍ଚ ଦେଉଛନ୍ତି ବ୍ୟବସାୟୀ । ଖୋଲା ବଜାରରେ ଦର ବଢାଇ ଖାଉଟିଙ୍କଠାରୁ ଏହା ଆଦାୟ କରାଯାଉଛି। ପରିବହନ ଖର୍ଚ୍ଚକୁ ଆଳୁର ମୂଳ ଦର ସହ ମିଶାଯାଏ। ଏତେ ସବୁ ଗଣିତ ଭିତରେ, ଆଳୁ ଦର ୧୦୦ ଟଙ୍କା ଛୁଇଁବା ଆଶଙ୍କାରେ ଚିନ୍ତାରେ ଖାଉଟି ।