ଖାଉଟିଙ୍କୁ ମହଙ୍ଗା ମାଡ଼, ତୈଳ ଦର ବୃଦ୍ଧି ଯୋଗୁ ବଢ଼ିଲା ଆଳୁ ଦର

ଭୁବନେଶ୍ୱର: ବଢ଼ିଲା ଆଳୁ ଦର । ଯାହା ଆଗକୁ ଆହୁରି ବଢ଼ିବ । ଏବେ ଖୁଚରା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଛି ଆଳୁ । ଆଗକୁ କିଲୋ ପିଛା ଦର ୨୫ରୁ ୩୦ ଟଙ୍କା ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଓଡ଼ିଶାକୁ ଆଳୁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆସିଥାଏ । ଯେଉଁ ପରିବହନ ଖର୍ଚ୍ଚ କୁଇଣ୍ଟାଲ ପିଛା ୯୦ ଟଙ୍କା ଥିଲା, ତାହା ଏବେ ୧୫୦ ଟଙ୍କା ଟପିଲାଣି । ବର୍ଦ୍ଧିତ ୫୦ରୁ ୬୦ ଟଙ୍କା ପରିବହନ ଖର୍ଚ୍ଚ ଖାଉଟିଙ୍କୁ ଭରଣା କରିବାକୁ ପଡ଼ିବ ।

ପଶ୍ଚିମବଙ୍ଗରେ ୧୫୦୦ରୁ ୧୬୫୦ ଟଙ୍କା କୁଇଣ୍ଟାଲ ପିଛା ଆଳୁ ଦର ରହିଛି । ପରିବହନ ଖର୍ଚ୍ଚକୁ ଆଳୁର ମୂଳ ଦର ସହ ମିଶାଇବାକୁ ପଡ଼ିବ । ଏଠି ହୋଲସେଲରେ ୧୬୫୦ରୁ ୧୭୫୦ରେ ବିକ୍ରି ହେଉଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଆଗମୀ ଦିନରେ ୫୦ରୁ ୧୦୦ ଟଙ୍କା ବଢ଼ିବ ଦାମ୍ । ସେହିପରି ଉତ୍ତରପ୍ରଦେଶରେ ଆଳୁ କୁଇଣ୍ଟାଲ ପିଛା ୧୬୦୦ରୁ ୧୬୫୦ ଟଙ୍କାରେ ବିକ୍ରି ହେଉଛି । ଆଗକୁ ଆଳୁ ଦର ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।