‘ଅନୁକୂଳ ହେଉନି ପାଗ, ଏଥର ଭଲ ହେବନି ଆଳୁ ଅମଳ’
1 min readଭୁବନେଶ୍ବର : ବିଧାନସଭା ଭିତରେ ଓ ବାହାରେ ଆଳୁ ତାତି । ଏବେ ଦାଉ ସାଜିଲାଣି ପାଗ । ପଡ଼ୁନି ଶୀତ । କମୁନି ତାପମାତ୍ରା । ଏବର୍ଷ ବାଧା ପାଇବ ଆଳୁ ଅମଳ । ଏପରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ସୁରେନ୍ଦ୍ର ନାଥ ପଶୁପାଳକ । ଅକ୍ଟୋବର ଯାଇ ନଭେମ୍ବର ଗଲା । ସାରା ରାଜ୍ୟରେ ଏ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧୫ରୁ ୨୦ ଡିଗ୍ରିରେ ପହଞ୍ଚିଲାନି । ଚିନ୍ତାରେ ଚାଷୀ । ସରକାର ଆଳୁ ମଞ୍ଜି ଯୋଗାଇଛନ୍ତି । ଆଳୁମଞ୍ଜି ଲଗାଇବାଠାରୁ ଅମଳ ପର୍ଯ୍ୟନ୍ତ ୭୫ ଦିନ ସମୟ ଆବଶ୍ୟକ କରିଥାଏ । କିନ୍ତୁ ତାପମାତ୍ରା ଅଧିକ ରହୁଥିବାରୁ ଆଳୁ ବୁଦାରେ ୪ରୁ ୫ଟି ଭଲ ଆଳୁ ନ ହୋଇ ଗୋଟିଏ କିମ୍ବା ଦୁଇଟି ହେବ । ତା ପୁଣି ଛୋଟ ଓ କମ ଓଜନର ରହିବ । ଏପରି କି ଚଳିତବର୍ଷ ଏହି ଦଶା ଆଳୁ ଉତ୍ପାଦନକାରୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ବି ଦେଖିବାକୁ ମିଳିବ । ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସମସ୍ୟା ଆଗକୁ ଆହୁରି ବଢିବ । ବିଶେଷଜ୍ଞଙ୍କ ମତ ଏଣିକି ଅଧିକ ତାପମାତ୍ରା ସହନଶୀଳ ଆଳୁ ବିହନ ଚାଷୀଙ୍କୁ ଯୋଗାଇବାକୁ ପଡ଼ିବ । ନୂଆ ଆଳୁ ବିହନ ସୂର୍ଯ୍ୟ, ପି-୨୫ ବିହନ ଅଧିକ ତାପମାତ୍ରା ସହନଶୀଳ । ଏସବୁ ଆଳୁ ବିହନ ଲଗାଇଲେ ପରିବର୍ତ୍ତିତ ଜଳବାୟୁରେ ଅଧିକ ଅମଳକ୍ଷମ ରହିବ ।
ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହେବ ଓଡ଼ିଶା । ସରକାରଙ୍କ ଏହି ଆଶା ଚଳିତବର୍ଷ ସାକାର ହେବନି । ରାଜ୍ୟକୁ ବାର୍ଷିକ ୧୪ ଲକ୍ଷ ୩୦ ହଜାର ଟନ୍ ଆଳୁ ଆବଶ୍ୟକ । ରାଜ୍ୟରେ ଭଲ ଅମଳ ହେଲେ ମାତ୍ର ୮୦ ହଜାର ଟନ୍ ହେଉଛି । ବାକି ୯୦ ପ୍ରତିଶତ ପଶ୍ଚିମବଙ୍ଗ ଓ ୫ ପ୍ରତିଶତ ଉତ୍ତରପ୍ରଦେଶରୁ ଆମଦାନୀ ହେଉଛି । ଏବର୍ଷ ପଶ୍ଚିମବଙ୍ଗ ଆଳୁ ବନ୍ଦ କରିବା ପରେ ରାଜ୍ୟରେ ଆଳୁ ସଂକଟ ଦେଖା ଦେଉଛି । କିନ୍ତୁ ଯଦି ଅମଳ ଭଲ ନ ହେବ ତାହେଲେ ବଜାରରେ ଆଳୁ ଦାମ ଆଉ କମିବନି । ବାହାର ରାଜ୍ୟ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ । ତେଣୁ ଆଗକୁ ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଏବେଠୁ ଅଣ୍ଟା ଭିଡ଼ନ୍ତୁ ବୋଲି ପରାମର୍ଶ ଦେଇଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଆଳୁ ସଂକଟ ନେଇ ଓଡ଼ିଶା ଗତି କରୁଛି । ରାଜ୍ୟର କୃଷି ମନ୍ତ୍ରୀ ଚାଷବାସ ଅଞ୍ଚଳରୁ ଆସିଛନ୍ତି । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଓଡ଼ିଶାରେ କିପରି ତାପମାତ୍ରା ସହନଶୀଳ ଆଳୁ ବିହନ ଯୋଗାଣ ହେବ ସେ ନେଇ କୃଷି ବୈଜ୍ଞାନିକଙ୍କ ସହ ପରାମର୍ଶ କରି ପଦକ୍ଷେପ ନେବାକୁ ସବୁ ମହଲରେ ଦାବି ଉଠିଛି ।