ରାଜ୍ୟରେ ଉତ୍କଟ ଆଳୁ ସଙ୍କଟ, ପଶ୍ଚିମବଙ୍ଗ ଆଳୁ ଟ୍ରକ ପିଛା ନେଉଛି ମନଇଚ୍ଛା ଦର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୁଣିଥରେ ଉତ୍କଟ ହେଲା ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଓଡିଶାକୁ ଚୋରା ବାଟରେ ଆସୁଥିବା ଆଳୁ ବି ଏବେ ବନ୍ଦ । ପଶ୍ଚିମବଙ୍ଗ ବ୍ୟବସାୟୀ ଆଳୁ ଟ୍ରକ ପିଛା ମନଇଚ୍ଛା ଦର ନେବାରୁ ଓଡ଼ିଶାର ବ୍ୟବସାୟୀ ପଶ୍ଚିମବଙ୍ଗରୁ ଆଳୁ ନ ଆଣିବାକୁ କଠୋର ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗ ପାଇଁ ଆଳୁ ଦର କୁଇଣ୍ଟାଲ ପିଛା ୨୮୦୦ ଟଙ୍କା ଫିକ୍ସ କରାଯାଇଛି । କିନ୍ତୁ ପଶ୍ଚିମବଙ୍ଗ ବ୍ୟବସାୟୀ ତିନି ହଜାର ଟଙ୍କା ରେଟ ରଖିଛନ୍ତି । ଯାହାକି ଓଡିଶା ବ୍ୟବସାୟୀ ମହାସଂଘ ଗ୍ରହଣ କରିନାହିଁ । ପଶ୍ଚିମବଙ୍ଗରୁ ଚୋରା ବାଟରେ ଆଳୁ ଯେଉଁମାନେ ଆଣୁଛନ୍ତି ଅନେକ ମିଛ କହୁଛନ୍ତି। ଯାହାଦ୍ୱାରା ଖାଉଟିଙ୍କ ଉପରେ ଆର୍ଥିକ ବୋଝ ପଡୁଛି। ଏହାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା । ବର୍ତ୍ତମାନ ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ଆଶା କରାଯାଉ ନାହିଁ ବୋଲି କହି ସରକାରଙ୍କ ଉପରେ ବର୍ଷିଛି ବ୍ୟବସାୟୀ ମହାସଂଘ। ଭୋଟ ସମୟ ଆସିଲେ ଗ୍ରାହକ ମାନେ ଏହାର ଉତ୍ତର ଦେବେ। ଆଳୁର ପାଇକାରୀ ଦର ୨୨୦୦ ରୁ ୨୮୦୦ ରହୁଛି।
ତେଣୁ ଆଳୁ ଦର ବଜାରରେ ୪୦ କିମ୍ବା ୫୦ ଟଙ୍କା ହେବା କଥା ନୁହେଁ । ବ୍ୟବସାୟୀଙ୍କ ମଧ୍ୟରେ ଗୋଟିଏ ଅସୁସ୍ଥ ପ୍ରତିଯୋଗିତା ଚାଲିଛି। ସରକାରଙ୍କ ପାଖରେ ଏହାକୁ ନିୟନ୍ତ୍ରଣ କରିବାକୁ ପଲିସି ନାହିଁ। ସରକାର ଆଳୁର ଗୋଟିଏ ଦର ଧାର୍ଯ୍ୟ କରନ୍ତୁ ବୋଲି ଦାବି କରିଛି ମହାସଂଘ। ସରକାରଙ୍କୁ ଏକଥା କିଏ ଶିଖାଇବ କି ବୋଲି ପ୍ରଶ୍ନ କଲା ବ୍ୟବସାୟୀ ମହାସଂଘ । ସେଥିପାଇଁ ହିଁ ପଶ୍ଚିମବଙ୍ଗରୁ ଆଳୁ ଆଣିବା ଉପରେ ସର୍ତ୍ତ ରଖାଗଲା ବୋଲି କୁହାଯାଇଛି । ଏହି ସମୟରେ ରାଜ୍ୟର ବ୍ୟବସାୟୀ ମାନେ ୟୁପି ସହ ଆଳୁକୁ ନେଇ କଲେ ଚୁକ୍ତି । ଆଳୁ ସପ୍ଲାଏ ଚେନକୁ ବ୍ୟାହତ କରାଯିବ ନାହିଁ ବୋଲି ୟୁପି ପ୍ରତିଶ୍ରୁତି ଦେଇଛି। ୟୁପିରୁ ଆଳୁ ଆସିଲେ ରାସ୍ତା ଖର୍ଚ୍ଚ ଅଧିକ ପଡୁଛି। ୧୦ ରୁ ୨୦ ଜଣ ବ୍ୟବସାୟୀ ମିଶି ଟ୍ରେନରେ ଆଳୁ ଆଣିବାକୁ ଯୋଜନା ରଖିଛନ୍ତି । ୮୪ ପ୍ରକାର ଆଳୁ ୟୁପିରେ ଉପଲବ୍ଧ । ଆସାମକୁ ଆଳୁ ଟ୍ରେନରେ ଯାଉଛି । କେନ୍ଦ୍ର ସରକାର ଓ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନିଆଯାଇପାରେ । ୟୁପିର ବ୍ୟବସାୟୀ, ଚାଷୀ, ଶୀତଳ ଭଣ୍ଡାର ମାଲିକଙ୍କ ସମେତ ଉଦ୍ୟାନକୃଷି ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଗୋଟିଏ ବୁଝାମଣା ହୋଇଛି ୟୁପି ସହିତ । ଏଭଳି ନିଷ୍ପତ୍ତି ନେଇଥିବାରୁ ଖାଉଟିଙ୍କ ସହଯୋଗ ଲୋଡିଲା ବ୍ୟବସାୟୀ ମହାସଂଘ । ୟୁପି ଆଳୁ ଖରାପ ବୋଲି ଓଡ଼ିଶାରେ ମାନସିକତା ରହିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ କେହି ବି ଏହାକୁ ପସନ୍ଦ କରୁ ନ ଥିବା ସ୍ବୀକାର କରିଛି ମହାସଂଘ । ଆଉ ଟିକେ ଅଧିକ ଦର ଦେଲେ ୟୁପିରୁ ଆହୁରି ଭଲ ମାନର ଆଳୁ ଆସିପାରିବ । ଏ ଦିଗରେ ବି ଧ୍ୟାନ ଦିଆଯାଉଛି । ଲୋକଙ୍କ ଗ୍ରହଣୀୟତା ବଢିଲେ ଯାଇ ୟୁପି ଆଳୁ ଅଧିକ ମଗାଯାଇ ପାରିବ ବୋଲି କହିଛି ମହାସଂଘ ।