ଆଳୁ ପାଇଁ ମମତାଙ୍କ ଶରଣ ପଶିବେ ରାଜ୍ୟ ସରକାର, କୋଲକାତା ଯିବେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର : ଯୋଗାଣ ମନ୍ତ୍ରୀଙ୍କ ଭାଙ୍ଗିଲା ଦମ୍ଭ । ଆଳୁ ପାଇଁ ଆତ୍ମନିର୍ଭର ନୁହେଁ, ଲୋଡା ମମତାଙ୍କ ଶରଣ । ବିଜେଡି କହିଲା, ଡେରିରେ ବୁଝିବେ ବୋଲି ଜାଣିଥିଲୁ । କଂଗ୍ରେସ କହିଲା, ଯୋଗାଣ ମନ୍ତ୍ରୀଙ୍କ ଯାଇନି ଆଳୁଦୋଷ । ଭାଙ୍ଗିଲା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବାହାସ୍ଫୋଟ । ପକାଇଥିବା ଛେପକୁ ନିଜେ ଢୋକିଲେ ଯୋଗାଣ ମନ୍ତ୍ରୀ । ଉତ୍ତର ପ୍ରଦେଶରୁ ଟ୍ରେନରୁ ୧୩ ମାସ ହେବ ଆଳୁ ନଆସିବାରୁ ଯୋଗାଣ ମନ୍ତ୍ରୀ ଏବେ ଆତ୍ମନିର୍ଭର କଥା ଭୁଲି ପଶ୍ଚିମବଙ୍ଗ ସରକାର ଶରଣକୁ ଯିବାକୁ ପ୍ରସ୍ତୁତ । ଖୁବଶୀଘ୍ର ପଶ୍ଚିମବଙ୍ଗ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଳୁ ଯୋଗାଣ ନେଇ ଆଲୋଚନା କରିବେ ବୋଲି ସେ କହିଛନ୍ତି । ଯୋଗାଣ ମନ୍ତ୍ରୀଙ୍କ ଯୁକ୍ତି ହେଉଛି ରାଜ୍ୟରେ ପ୍ରତିବର୍ଷ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଆଳୁର ଆବଶ୍ୟକତା ରହିଛି । ୩ ଲକ୍ଷ ମେଟ୍ରିକ୍ ଟନ ଆଳୁ ଆମଦାନୀ ହେଉଛି । ବାକି ୯ ଲକ୍ଷ ମେଟ୍ରିକ୍ ଟନ ଆଳୁ ଆମେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଣିବୁ। ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଆଳୁ ବିବାଦର ସମାଧାନ କରାଯିବ । ମମତା ବାନାର୍ଜୀଙ୍କ ସହ ରାଜ୍ୟ ସରକାରଙ୍କ କୌଣସି ବିବାଦ ନାହିଁ । ରାଜ୍ୟରେ ଆଳୁ ବହୁତ ଧାର୍ଯ୍ୟ ଅଛି ବୋଲି ସେ କହିଛନ୍ତି ।
ପୂର୍ବରୁ ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ପାଇଁ ଯୋଗାଣ ମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ ଦାୟୀ କରିବା ସହ ବିଜେଡି ସରକାରଙ୍କୁ ଦାୟୀ କରିଥିଲେ । ସିଧାସିଧା ଯୋଗାଣ ମନ୍ତ୍ରୀ କହିଥିଲେ ପଶ୍ଚିମବଙ୍ଗ ଉପରେ ଓଡିଶା ନିର୍ଭରଶୀଳ ନୁହେଁ । ବର୍ଷେ ଭିତରେ ଓଡିଶା ଆଳୁ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ । ହେଲେ ୧୩ମାସ ପରେ ଯୋଗାଣ ମନ୍ତ୍ରୀ ଏପରି ବୟାନ ଦେବେ ବୋଲି ବିଜେଡି ବହୁ ଆଗରୁ ଜାଣିଥିଲା । ଏକଥା କଟାକ୍ଷ କରିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି । ଯୋଗାଣ ମନ୍ତ୍ରୀ ବାହାସ୍ଫୋଟ ପୂରା ଓଡିଶା ଆଜି ଜାଣିଲା ବୋଲି ସେ କହିଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗାଣ ମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି । ଯୋଗାଣ ମନ୍ତ୍ରୀଙ୍କ ଆଳୁ ଦୋଷ ଯାଉନି ଓ ଆଳୁକୁ ନେଇ ପାଗଳଙ୍କ ପରି ବୟାନ ଦେଉଛନ୍ତି ବୋଲି କଂଗ୍ରେସ କହିଛି । ଉତ୍ତର ପ୍ରଦେଶରୁ ଆଳୁ ଟ୍ରେନରେ କେବେ ଆସିବ ବୋଲି ତାରା ପ୍ରଶ୍ନ କରିଛନ୍ତି । ଆଳୁ ଯୋଗାଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବେଫିକର ବୟାନ ମୋହନ ସରକାରଙ୍କୁ ଅଡ଼ୁଆରେ ପକାଇଛି । ପଶ୍ଚିମବଙ୍ଗ ସହ ଯୋଗାଣ ମନ୍ତ୍ରୀଙ୍କ ଆଲୋଚନା ପରେ ଧାର୍ଯ୍ୟ ସଂଖ୍ୟକ ଆଳୁ ଓଡିଶାକୁ ଆସୁଛି ନାଁ ଟ୍ରେନରେ ଆଳୁ ଆସୁଛି ଭଳି କେବଳ ଏହା ଭେଳିକିରେ ରହିଯିବ ତାହା ଦେଖିବାର କଥା ।