ତିନି ଶହରୁ ଅଧିକ ଜମାଖାତାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କଲେ ପୋଷ୍ଟମାଷ୍ଟର

ବାରିପଦା: ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର । ହିତାଧିକାରୀ ଭକୁଆ । ଘଟଣାର ତଦନ୍ତ କରିବାକୁ ଆସିଥିବା ଡାକ ବିଭାଗ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ମୟୂରଭଞ୍ଜ ଉଦଳା ବ୍ଲକ ଡିମଗଡିଆ ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୋଷ୍ଟ ମାଷ୍ଟର ଲକ୍ଷ୍ମୀଧର ବିନ୍ଧାଣି ଏଠାରେ କାର୍ଯ୍ୟରତ ଥିବା ବେଳେ, ସ୍ଥାନୀୟ ଅଞ୍ଚଳର ଅନେକ ହିତାଧିକାରୀ ପୋଷ୍ଟ ଅଫିସରେ ଖାତା ଖୋଲି ଟଙ୍କା ଜମା ରଖିଥିଲେ ।

ହେଲେ ପୋଷ୍ଟ ମାଷ୍ଟର ଟଙ୍କା ଜମାର ରସିଦ ଦେଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଖାତାରୁ ହିତାଧିକାରୀଙ୍କ ଅଜାଣତରେ ଉଠାଣ ହୋଇଛି । ଏପରିକି ସୁକନ୍ୟା ଯୋଜନାରେ ହିତାଧିକାରୀଙ୍କ ଟଙ୍କା ମଧ୍ୟ ହଡପ ହୋଇଛି । ପାଖାପାଖି ୩ ଶହରୁ ଅଧିକ ଜମା ଖାତାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରି ପୋଷ୍ଟ ମାଷ୍ଟର ଲକ୍ଷ୍ମୀଧର ଫେରାର ହୋଇଯାଇଛନ୍ତି ।

ମାସେରୁ ଅଧିକ ଦିନ ପର୍ଯ୍ୟନ୍ତ ପୋଷ୍ଟ ଅଫିସ ବନ୍ଦ ରହିବା ପରେ, ହିତାଧିକାରୀମାନେ ନିକଟସ୍ଥ ରାଢୋ ପୋଷ୍ଟ ଅଫିସରେ ସେମାନଙ୍କ ଜମା ଖାତା ଯାଞ୍ଚ କରିଥିଲେ । ଯେଉଁଥିରୁ ଜଣାପଡିଥିଲା ଯେ, ସେମାନଙ୍କ ଟଙ୍କା ହଡପ ହୋଇଛି । ଏ ନେଇ ପୋଷ୍ଟ ବିଭାଗରେ ଅଭିଯୋଗ କରିଥିଲେ । ଡାକ ବିଭାଗର ଅଧିକାରୀ ଘଟଣାର ତଦନ୍ତ କରିବାକୁ ଆସିଥିବା ବେଳେ ଲୋକେ ସେମାନଙ୍କୁ ଅଟକ ରଖିଥିଲେ ।