ଡାକଘରୁ ଜମାଟଙ୍କା ଗାଏବ, ୧୧ ଦିନ ହେବ ପୋଷ୍ଟମାଷ୍ଟରଙ୍କ ମିଳୁନି ପତ୍ତା

ଭଦ୍ରକ: ଚାନ୍ଦବାଲି ଉଗ୍ରତରା ଡାକଘରୁ ପୋଷ୍ଟ ମାଷ୍ଟର ଲକ୍ଷାଧିକ ଟଙ୍କା ନେଇ ଫେରାର ଅଭିଯୋଗ। ଏନେଇ ଚାନ୍ଦବାଲି ମାଜିଷ୍ଟ୍ରେଟଙ୍କ ସହ ଭଦ୍ରକ ଡାକ ବିଭାଗର ଇନ୍ସପେକ୍ଟରଙ୍କ ମିଳିତ ତଦନ୍ତ ଚାଲୁ ରହିଛି । ଘଟଣାକୁ ୧୧ ଦିନ ବିତିଯିବା ପରେ ଚାବି ଭଙ୍ଗା ଯାଇ ଡ଼ାକଘରକୁ ଖୋଲାଯାଇଛି । ଡ଼ାକ ଘରେ ବିଭିନ୍ନ ଅଞ୍ଚଳରେ ଥିବା ଗାଁ ଲୋକେ ଏହି ଡ଼ାକ ଘରେ ଟଙ୍କା ଜମା ରଖିଥିଲେ ।
ପୋଷ୍ଟ ମାଷ୍ଟର ବୁକେଇ ମାଝୀ ଟଙ୍କା ଜମା କରିବାକୁ କହି ଟଙ୍କା ନେଇଥିଲେ। ସାଧାରଣତଃ ଲୋକେ ଚିଟଫଣ୍ଡ ଠକେଇ ପରେ ଡ଼ାକ ବିଭାଗ ଉପରେ ଭରସା ରଖି ଟଙ୍କା ଜମା ରଖୁଥିବା ବେଳେ ପୋଷ୍ଟ ମାଷ୍ଟର ଟଙ୍କା ନେଇ ୧୧ ଦିନ ହେବ କୁଆଡେ ଫେରାର ଥିବା ଅଭିଯୋଗ ହୋଇଛି। ୧୧ ଦିନ ଭିତରେ ଏହି ସମ୍ପର୍କରେ ଚାନ୍ଦବାଲି ମୁଖ୍ୟ ଡାକ ବିଭାଗ କର୍ମଚାରୀ ପହଞ୍ଚି ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରି ନାହିଁ।
ଆଜି ଭଦ୍ରକ ଡାକ ବିଭାଗର ଜିଲ୍ଲା ଇନ୍ସପେକ୍ଟର ଅନନ୍ତ କୁମାର ଶତପଥି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୂତାରଙ୍କ ସହ ଚାନ୍ଦବାଲି ପୋଲିସ ଷ୍ଟେସନର ଏକ ଟିମ୍ ଉପସ୍ଥିତ ଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖା ଦେଇଛି । ଭଦ୍ରକ ଡ଼ାକ ବିଭାଗର ଇନ୍ସପେକ୍ଟର କହିଛନ୍ତି ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଲୋକଙ୍କୁ ନ୍ୟାୟ ମିଳିବ।