ନନ୍ଦିଘୋଷ ବ୍ୟୁରୋ: ଡାକ ବିଭାଗରେ ବଡ଼ ଧରଣର ପ୍ରଶାସନିକ ପୁନର୍ଗଠନ। ଡାକ ସେବାର ଦକ୍ଷତା ବୃଦ୍ଧି, ବ୍ୟବସାୟିକ ସମ୍ପ୍ରସାରଣ ତଥା ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ଡାକ ସର୍କଲରେ ବ୍ୟାପକ ପ୍ରଶାସନିକ ପୁନର୍ଗଠନ କରାଯାଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନୂତନ ବ୍ୟବସ୍ଥା ଆସନ୍ତା ୨୦୨୬ ନଭେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ବ୍ରହ୍ମପୁର ରିଜିଅନ୍ ଅଧୀନସ୍ଥ କୋରାପୁଟ ଓ କଳାହାଣ୍ଡି ଡିଭିଜନକୁ ପୁନର୍ବିଭାଜନ କରି ନୂତନ ‘ନବରଙ୍ଗପୁର ଡାକ ଡିଭିଜନ’ ଗଠନ କରାଯାଇଛି। ରାଜ୍ୟର ତିନୋଟି ଯାକ ରିଜିଅନ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମଧ୍ୟରେ କାର୍ଯ୍ୟଭାର ସନ୍ତୁଳନ ପାଇଁ ଡିଭିଜନଗୁଡ଼ିକର ପୁନର୍ବଣ୍ଟନ କରାଯାଇଛି। ପ୍ରଶାସନିକ ସୁବିଧା ଦୃଷ୍ଟିରୁ ତୃଣମୂଳ ସ୍ତରରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛ। କଟକ ସିଟି ଡିଭିଜନ: କଟକ ୱେଷ୍ଟ ସବ୍-ଡିଭିଜନକୁ ଉଚ୍ଛେଦ କରାଯାଇ ଏହାକୁ କଟକ ଇଷ୍ଟ ଏବଂ ସାଳେପୁର ସବ୍-ଡିଭିଜନ ସହ ମିଶ୍ରଣ କରାଯାଇଛି।
ଭଦ୍ରକ ଡିଭିଜନ: ଭଦ୍ରକ ଅଧୀନରେ ନୂତନ ‘ଚାନ୍ଦବାଲି ସବ୍-ଡିଭିଜନ’ ସୃଷ୍ଟି କରାଯାଇଛି। ଢେଙ୍କାନାଳ ଡିଭିଜନ: ନୂତନ ‘କିଶୋରଗଞ୍ଜ ସବ୍-ଡିଭିଜନ’ ପ୍ରତିଷ୍ଠା ହୋଇଛି। ଅନୁଗୋଳ ଇଷ୍ଟ ଓ ୱେଷ୍ଟକୁ ମିଶାଇ ‘ଅନୁଗୋଳ’ ତଥା ଢେଙ୍କାନାଳକୁ ‘ଢେଙ୍କାନାଳ ଇଷ୍ଟ’ ଓ ‘ଢେଙ୍କାନାଳ ୱେଷ୍ଟ’ ଭାବେ ପୁନର୍ଗଠନ କରାଯାଇଛି। କଟକ ସାଉଥ୍ ଡିଭିଜନ: ଏହି ଡିଭିଜନ ଅଧୀନରେ ନୂତନ ‘ରଘୁନାଥପୁର ସବ୍-ଡିଭିଜନ’ ଗଠନ କରାଯାଇଛି।…

