ସାରା ରାଜ୍ୟରେ ପୋଷ୍ଟାଲ ସେବା ଅଚଳ: ଲମ୍ବାଧାଡ଼ି ଲଗାଇ ଲୋକେ ହନ୍ତସନ୍ତ

1 min read

ରେଜିଷ୍ଟର୍ଡ଼ ଚିଠି ହେଉ କି ସ୍ପିଡ୍‌ ପୋଷ୍ଟ । କିଛି ବି ପଠାଯାଇ ପାରୁନି । ଲମ୍ବାଧାଡ଼ି ଲଗାଇ ଲୋକେ ହନ୍ତସନ୍ତ । ସାରା ରାଜ୍ୟରେ ପୋଷ୍ଟାଲ ସେବା ଅଚଳ । ଅଚଳାବସ୍ଥା କେବେ ଦୂର ହେବ କିଛି ଉଁ କି ଚୁଁ କହୁନାହାନ୍ତି ପୋଷ୍ଟାଲ କର୍ତ୍ତୃପକ୍ଷ । ୬ ଦିନରୁ ଅଧିକ ବିତିଯାଇଥିଲେ ମଧ୍ୟ ଲୋକେ ଆଜି ବି ପୋଷ୍ଟ ଅଫିସରେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହୋଇଥିବା ଦେଖିବାକୁ ମିଳିଛି। ସାଧାରଣ ପୋଷ୍ଟ ଅଫିସ କଥା ଛାଡ଼ନ୍ତୁ । ଖୋଦ ଭୁବନେଶ୍ୱର ପ୍ରଧାନ ଡାକଘର ବା ଜିପିଓରେ ଶହ ଶହ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଗତ ଶନିବାର ଠାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରକ୍ଷା ବନ୍ଧନ ଥିବାରୁ ରାକ୍ଷୀ ପଠାଇବାଠୁ ଆରମ୍ଭ କରି ରେଜିଷ୍ଟର୍ଡ ପୋଷ୍ଟ, ସ୍ପିଡ଼ ପୋଷ୍ଟ, ସଞ୍ଚୟ ଖାତାରେ ଜମା ଓ ଉଠାଣ କିଛି ବି ହୋଇପାରୁନି । ପୋଷ୍ଟାଲ ସେବା ବାଧାପ୍ରାପ୍ତ ହେବାରୁ ପୋଷ୍ଟ ଅଫିସରେ ଗଦା ହେଲାଣି ଚିଠି ଓ ଲୋକଙ୍କ ଗୁରୁତ୍ବପୂର୍ଣ୍ଣ କାଗଜ । ଏତେଦିନ ହେଲାଣି ଲୋକେ ହଇରାଣ ହରକତ ହେଉଛନ୍ତି ଅଥଚ ଏଭଳି ଅସୁବିଧା ସମାଧାନ ପାଇଁ ପୋଷ୍ଟାଲ ଅଧିକାରୀ ଚୁପ । ନୂଆ ସଫ୍ଟଓ୍ବେର ସମସ୍ୟା କରୁଥିବାରୁ ହାତ ଟେକିଦେଇଛନ୍ତି।

ସ୍ଥିତି ଏମିତି ହୋଇଛି କର୍ମଚାରୀ କମ୍ପ୍ୟୁଟର ଲଗ-ଇନ୍‌ କରିପାରୁନାହନ୍ତି । ସଫ୍ଟଓ୍ବେର ଠିକ୍‌ ଭାବେ କାମ କରୁନଥିବାରୁ ଲିଙ୍କ ମିଳୁନି । କର୍ମଚାରୀମାନେ ଘଣ୍ଟା ଘଣ୍ଟା ଧରି ସିଷ୍ଟମ ଅନ କରି ବସି ରହିଥିବା ଦେଖିବାକୁ ମିଳିଛି। ଶାଖା ପୋଷ୍ଟ ଅଫିସରୁ ଫେରି ଲୋକେ ଜିପିଓକୁ ଆସି ବି ସମାନ ଦଶା ଭୋଗୁଛନ୍ତି । ସେପଟେ ଲୋକ ଗହଳିକୁ ଦେଖି ଜିପିଓରେ ଲୋକଙ୍କଠାରୁ ଅଫଲାଇନରେ ଲେଖି ଜିନିଷ ରିସିଭ କରାଯାଉଛି। କିନ୍ତୁ ଅନଲାଇନ ବ୍ୟବସ୍ଥା କାମ କରୁନଥିବାରୁ ପୋଷ୍ଟ ପଠାଯାଇ ପାରୁନାହିଁ। ଯାହାକୁ ନେଇ ଲୋକେ ଘୋର ଅସନ୍ତୋଷ ଝାଡିଛନ୍ତି। ସେପଟେ ନୂଆ ସଫ୍ଟୱେୟାର ଯୋଗୁ ଲୋକେ ସମସ୍ୟା ଭୋଗୁଥିବା ପୋଷ୍ଟାଲ କର୍ମଚାରୀ ସ୍ୱୀକାର କରିଛନ୍ତି। ପୋଷ୍ଟାଲ ସେବା ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । କାହାର ନିଯୁକ୍ତି ଚିଠି ହେଉ କିମ୍ବା କୋର୍ଟ କାଗଜ ସବୁଥିରେ ପୋଷ୍ଟାଲ ସେବା ଉପରେ ରହିଛି ଲୋକଙ୍କ ଭରସା । କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାରେ ଏତେଦିନ ହେଲାଣି ଅଚଳାବସ୍ଥା ଜାରି ରହିଛି । ପୋଷ୍ଟମାଷ୍ଟର ଜେନେରାଲ କି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଟିଏ ପ୍ରେସ୍‌ ରିଲିଜ ବି ଜାରି କରାଯାଇନି । କେବେ ସେବା ସ୍ବାଭାବିକ ହେବ ତାକୁ ନେଇ ଏବେ ଲୋକେ ଅନ୍ଧାରରେ।