ଗଞ୍ଜାମରେ ବିଜୟ ଶୋଭାଯାତ୍ରା ବେଳେ ବୋମାମାଡ଼, ୪ ଆହାତ

ଦିଗପହଣ୍ଡି: ପଞ୍ଚାୟତ ନିର୍ବାଚନ ପରେ ଗଞ୍ଜାମ ଅଶାନ୍ତ । ବିଜୟ ଶୋଭାଯାତ୍ରା ବେଳେ ଥରିଲା ଚିକିଟି । ଚିକିଟି ବ୍ଲକ ପିତାତଳି ଗାଁରେ ଏକାଧିକ ବୋମାମାଡ଼ ହୋଇଛି । ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିବା ଗୋଟିଏ ଗୋଷ୍ଠୀ ବିଜୟ ଶୋଭାଯାତ୍ରା ବେଳେ ଅନ୍ୟ ଗୋଷ୍ଠୀ ସହ ଗଣ୍ଡଗୋଳ ହୋଇଥିଲା । ପରେ ପରାଜିତ ପ୍ରାର୍ଥୀ କେ. ନରସିଂହ ମୂର୍ତ୍ତିଙ୍କ ଘର ନିକଟରେ ବିଜୟ ପ୍ରାର୍ଥୀ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି ।
ପ୍ରାୟ ୧୦ରୁ ଅଧିକ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ଏଥିରେ ପ୍ରାୟ ୪ ଜଣ ଆହାତ ହୋଇଛନ୍ତି । ପ୍ରଥମେ ସେମାନଙ୍କୁ ଚିକିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।