ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ଦୁର୍ବୁତ୍ତଙ୍କ ଆକ୍ରମଣରେ ଓ୍ୱାର୍ଡମେମ୍ବର ପ୍ରାର୍ଥୀ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ରେମୁଣା ବ୍ଲକର କଲ୍ୟାଣପୁର ପଞ୍ଚାୟତରେ ନିର୍ବାଚନୀ ହିଂସା । ଦୁର୍ବୁତ୍ତଙ୍କ ଆକ୍ରମଣରେ ୱାର୍ଡମେମ୍ବର ପ୍ରାର୍ଥୀ ଗୁରୁତର ଆହତ । ଏହାକୁ ପ୍ରତିବାଦ କରି ବିଜେଡି ପକ୍ଷରୁ ଥାନା ଘେରାଉ କରାଯାଇଛି । ନିର୍ବାଚନୀ ହିଂସାରେ ୱାର୍ଡମେମ୍ବର ପ୍ରାର୍ଥୀ ଗୁରୁତର ଆହତ ହୋଇଥିଲେ । ଆହତ ବ୍ୟକ୍ତି ହେଉଛନ୍ତି ଗାଙ୍ଗପୁରା ଗ୍ରାମର ଭାଗବତ ପ୍ରଧାନ । ଶୁକ୍ରବାର ରାତିରେ ସେହି ଗ୍ରାମର କିଛି ବ୍ୟକ୍ତି ଭାଗବତଙ୍କୁ ଘରୁ ଡାକି ଆଣିଥିଲେ । ଅନ୍ୟ ରାଜନୈତିକ ଦଳକୁ ସମର୍ଥନ ଦେବା ନେଇ ପ୍ରଥମେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁର୍ବୁତ୍ତମାନେ ସଂଘବଦ୍ଧ ଭାବେ ଭାଗବତଙ୍କ ଉପରେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚିବାରୁ ଦୁର୍ବୁତ୍ତମାନେ ସେଠାରୁ ଖସି ପଳାଇଯାଇଥିଲେ । ତୁରନ୍ତ ଭାଗବତଙ୍କୁ ଉଦ୍ଧାର ସହ ଲୋକେ ରେମୁଣା ପ୍ରାଥମିକ ଚିକିତ୍ସାଳୟକୁ ନେଇଯାଇଥିଲେ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା ।

Leave a Reply